ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ ଏବଂ ଏହାର ନୂତନ ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯିବ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀଘା ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଅନୁରୋଧ କରି ଚିଠି ଲେଖିବା ପରେ ଶୁଭେନ୍ଦୁ ଅଧିକାରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ମୋହନ ମାଝୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଜଗନ୍ନାଥ ଧାମ’ ଶବ୍ଦଟି ଐତିହାସିକ ଓ ଧାର୍ମିକ ଭାବେ କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଜଡ଼ିତ ଏବଂ ଅନ୍ୟ କୌଣସି ମନ୍ଦିର ପାଇଁ ଏହାର ବ୍ୟବହାର ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଉଛି।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ପୂର୍ବ ସରକାର ଦୀଘା ମନ୍ଦିର ନାମ ସହ ‘ଧାମ’ ଶବ୍ଦ ଯୋଡ଼ିଥିଲେ, ଯାହା ସନାତନ ପରମ୍ପରା ଓ ଧାର୍ମିକ ଭାବନା ବିରୋଧୀ ଥିଲା। ସେ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ସେ ପାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯିବ।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ପୁରୀ ଏମ୍ ପି ସମ୍ବିତ ପାତ୍ରଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଦୀଘା ମନ୍ଦିରର ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଣି ଅନୁମୋଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବେ ନାମକରଣ କରାଯିବାକୁ ନେଇ ଓଡ଼ିଶାରେ ଦୀର୍ଘଦିନ ଧରି ବିରୋଧ ଦେଖାଯାଇଥିଲା। ବିଭିନ୍ନ ଧାର୍ମିକ ସଂଗଠନ, ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀମାନେ ପୁରୀକୁ ଏକମାତ୍ର ‘ଜଗନ୍ନାଥ ଧାମ’ ବୋଲି ଦର୍ଶାଇ ଏହି ନାମ ପରିବର୍ତ୍ତନ ଦାବି କରୁଥିଲେ।

ଶୁଭେନ୍ଦୁ ଅଧିକାରୀଙ୍କ ଏହି ଘୋଷଣା ପରେ ଦୀଘା ମନ୍ଦିରର ନାମକରଣ ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି। ତେବେ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହେବା ପରେ ଏହା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

Share