ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର ତଥା ହିଣ୍ଡଳପଲ୍ଲୀଗ୍ରାମର ଟୁନା ବାଡ଼ତ୍ୟା ଓ ଲିଲି ବାଡ଼ତ୍ୟାଙ୍କ ପୁଅ ଶୁଭମ ବିଜ୍ଞାନରେ ୯୬ ପ୍ରତିଶତ ନମ୍ବର ରଖିଛନ୍ତି। ସେ ଜଣେ କୃଷକ ପରିବାରର। ପାଠପଢ଼ା ସହ ସେ ବାପାଙ୍କୁ ଚାଷକାର୍ଯ୍ୟରେ ସହଯୋଗ କରୁଛନ୍ତି। ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହୋଇ ଲୋକଙ୍କ ସେବା କରିବାର ଲକ୍ଷ୍ୟ ରଖିଥିବା ଶୁଭମ୍ ତାଙ୍କ ପ୍ରତିକ୍ରିୟାରେ କହିଥିବା ବେଳେ ସେହିପରି ପୁରୁଷୋତ୍ତପୁର ପୋଷ୍ଚ ଅଫିସ ସାହିର ଭୀମସେନ ମହାନ୍ତି ଓ ସୁଦେଷ୍ଣା ମହାନ୍ତିଙ୍କ ପୁଅ କାର୍ତ୍ତିକେୟ ବିଜ୍ଞାନ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖିଛନ୍ତି। ସେ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ଜଣେ ଭଲ ଇଞ୍ଜିନିୟର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ପରୀକ୍ଷାଫଳକୁ ନେଇ ଦୁହେଁ ସନ୍ତୁଷ୍ଟ ପ୍ରକାଶ କରି କହିଛନ୍ତି ଯେ, ପରିଶ୍ରମର ଫଳ ମିଳିଛି। ଏହି ସଫଳତା ମା, ବାପା, ଅଧ୍ୟାପିକା, ଅଧ୍ୟାପକ ଏବଂ ଗୁରୁଜନଙ୍କ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି। ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି। ଏଭଳି ସଫଳତାକୁ ନେଇ ଦୁହିଁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।