ଥୁଆମୂଳ ରାମପୁର, ୭ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ଟି ଏସ୍ଏଚ୍ଜି ଭାଗ ନେଇଥିଲେ। ମିଶନ ଶକ୍ତି ବ୍ଲକ ସଂଯୋଜକ ପ୍ରତାପ ନାଏକ ଓ ସହ ସଂଯୋଜକ ଦିବ୍ୟ ରଞ୍ଜନ ନାଏକ ପରିଚାଳନା କରିଥିଲେ। ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଓ ଅତିରିକ୍ତ ତହସିଲଦାର ଦେବାଶିଷ କରକରିଆ ଏହାକୁ ଉଦ୍ଘାଟନ କରିଥିଲେ। ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ମଧୁମାଲା ବାଗ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସରେନ, ଡବ୍ଲ୍ୟୁଇଓ ଶୁଭଜିତ ସ୍ବାଇଁଙ୍କ ସମେତ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ମାଣ୍ଡିଆ ପିଠା, କାକରା, ଆରିସା, ପୋଡ଼ ପିଠା ଭଳି ଅନେକ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ। ପରେ ବିଚାରକମଣ୍ଡଳୀ ଖାଦ୍ୟ ଚାଖି ମାନ ନିର୍ଦ୍ଧାରଣ କରିଥିଲେ। କେରପାଇ କାଚେଲେଖା ଗ୍ରାମର ମା’ ଅନ୍ନପୂର୍ଣ୍ଣା ଗୋଷ୍ଠୀ ପ୍ରଥମ, ଥୁଆମୂଳ ରାମପୁର ଜଗେସପଦରର ମା’ ବଞ୍ଜାରି ଗୋଷ୍ଠୀ ଦ୍ୱିତୀୟ ଓ ଗୋପାଳପୁର ମା’ ତାରିଣୀ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲା। ସମସ୍ତ ଗୋଷ୍ଠୀର ମହିଳାମାନଙ୍କୁ ବିଡ଼ିଓ ମୁଦୁଲି ପ୍ରଶଂସାପତ୍ର ପ୍ରଦାନ କରିଥିଲେ।


