ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…

ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ଏକ୍ସ (ପୂର୍ବରୁ ଟୱିଟର) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।
ମୋଟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ଏହି ଦିନ ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଏବଂ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନ ପଡ଼ନ୍ତି, ସେଥିପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି।
ବୈଷୟିକ ତ୍ରୁଟି କିମ୍ବା ବ୍ୟାଙ୍କ କେୱାଇସି (KYC) ଜନିତ ସମସ୍ୟା କାରଣରୁ ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।
ଆମ ସରକାର ମା’ ମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପବଦ୍ଧ। ଆସନ୍ତା ମେ’ ୪ ତାରିଖରେ ବାକି ରହିଯାଇଥିବା ୧,୨୩,୮୪୯ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି।
Dharitri – Odisha’s No.1 Odia Daily

Share