କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା ଓ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।
ପୂଜକ ସନ୍ତୋଷ କୁମାର ଦାସ କଳସ ଆବାହନ ଓ ସୂର୍ଯ୍ୟପୂଜା ପୂର୍ବକ ହଳଦୀ, ସିନ୍ଦୂର ଏବଂ ନାଲି-ହଳଦିଆ ବସ୍ତ୍ର ବାନ୍ଧି ପୂଜା ମଣ୍ଡପସ୍ଥଳୀରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଏଥିରେ କର୍ତ୍ତା ଭାବେ ପୂଜା କମିଟିର ସକ୍ରିୟ ସଦସ୍ୟ ଅଭିଳାଷ ମହାନନ୍ଦିଆ ଦାୟିତ୍ୱ ତୁଲାଇଥିଲେ।
ସୂଚନାଯୋଗ୍ୟ ଯେ, ଜଗନ୍ନାଥ କଲୋନିରେ ଦୀର୍ଘ ୧୦ ବର୍ଷ ଧରି ଗଣେଶ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ବିଘ୍ନବିନାଶକଙ୍କ ପୂଜା ବେଶ୍ ଧୁମଧାମରେ ପାଳନ କରାଯିବ ବୋଲି ପୂଜା କମିଟିର ସଭାପତି ରାଜକୁମାର ତୁରୁକୁ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭସାଣି ଉତ୍ସବରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଜା ମୁଖ୍ୟ ଆକର୍ଷଣ ସାଜିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କରକରିଆ, ଫୁଲକମ ବେନିଆ, ଅଭିଳାଷ ମହାନନ୍ଦିଆ, ରାଜକୁମାର ତୁରୁକୁଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।