ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ ଥର ପାଇଁ ଫୁଲି ଉଠିଛି। ଚାନ୍ଦିଲି ବନ୍ଧଠାରେ ୭ଟି ଫାଟକ ଖୋଲାଥିବା ବେଳେ ଗାଲୁଡିହରେ ୧୧ଟି ଫାଟକ ଦେଇ ପ୍ରତି ସେକେଣ୍ଡରେ ୬୫ହଜାର ଘନ ମିଟର ପାଣି ନଦୀକୁ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଆସୁଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି।
ପୂର୍ବାହ୍ନ ୮ଟା ସୁଦ୍ଧା ମୁରିରେ ୨୪ ମି.ମି., ଆଦିତ୍ୟପୁରରେ ୨୭ ମି.ମି., ଜାମସେଦପୁରରେ ୪୫ ମି.ମି., କରକାଇରେ ୬୭ ମି.ମି,. ଚାନ୍ଦିଲିରେ ୧୪୩ ମି.ମି., ଘାଟଶିଳାରେ ୫୪ ମି.ମି., ଫେକଘାଟରେ ୧୯୨ ମି.ମି., ଜାମଶୋଳାଘାଟରେ ୧୫୭ ମି.ମି., ଗୋପୀବଲ୍ଲଭପୁରରେ ୨୪୦ ମି.ମି. ଓ ରାଜଘାଟରେ ୬୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୁଧବାର ଅପରାହ୍ନ ୫ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ୧୦ ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ୧୦.୩୬ ମିଟର ରହିଛି। କିନ୍ତୁ ମଧ୍ୟରାତ୍ରରେ ଜଳସ୍ତର ୧୦.୩୬ ମିଟର ଟପିବ ବୋଲି ଜଳସେଚନ ବିଭାଗ ସତର୍କ ସୂଚନା ଦେଇଛି। ଜଳସ୍ତର ଆହୁରି ବଢ଼ି ପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପ୍ରକାଶ କରିଛି। ଲକ୍ଷ୍ମଣନାଥଠାରେ ବନ୍ଧରୁ ଅତଡ଼ା ଖସିଥିବାରୁ ସେଠାରେ ଜଳସେଚନ ବିଭାଗ ଖୁଣ୍ଟପୋତି ବାଲିବସ୍ତା ପକାଉଛି ା ଲକ୍ଷ୍ମଣନାଥଠାରୁ ପୀରଘାଟ ପର୍ଯ୍ୟନ୍ତ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବାରୁ ସୁରକ୍ଷାଲାଗି ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଛି। ଜମାଳପୁର, କଣ୍ଟାପାଳ, ମାକିଡ଼ଆ-କୁଅଁରପୁର ନଦୀବନ୍ଧରେ ମଧ୍ୟ ବିପଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି।