ସୁବର୍ଣ୍ଣପୁର ଜିଲା: ଚର୍ଚ୍ଚାରେ ୨ ଗୃହରକ୍ଷୀ

ସୁବଳୟା,୫।୧୦(ଜୟାନନ୍ଦ ରଥ)ସୁବର୍ଣ୍ଣପୁର ଜିଲାର ୨ ଜଣ ଗୃହରକ୍ଷୀ ଏବେ ଚର୍ଚ୍ଚାରେ। ନିକଟରେ ତରଭା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ବିଜୟ ସାହୁ ଗଞ୍ଜେଇ ଚୋରାଚାଲାଣ ବେଳେ ବଲାଙ୍ଗୀର ଜିଲା ପୋଲିସ ହାତରେ ଧରାପଡି ଏବେ ଜେଲରେ ଅଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ବିଜୟ ଦୀର୍ଘ ବର୍ଷ ଧରି ଗଞ୍ଜେଇ କାରବାର କରି ଆସୁଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏହି ଚର୍ଚ୍ଚା ଥମି ନ ଥିବା ବେଳେ ସୁବର୍ଣ୍ଣପୁର ଏସ୍‌ପିଙ୍କ ସରକାରୀ ବାସଭବନରେ ପୂର୍ବରୁ କାର୍ଯ୍ୟରତ ତଥା ଏବେ ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିବା ଜଣେ ଗୃହରକ୍ଷୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲାର ଉଲୁଣ୍ଡା ଥାନାରେ କାର୍ଯ୍ୟରତ ଜଣେ ମହିଳା ଏଏସଆଇଙ୍କୁ ସମ୍ପୃକ୍ତ ଗୃହରକ୍ଷୀ ଜଣକ ଶାରୀରକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଏ ନେଇ ମହିଳା ଏଏସଆଇ ପ୍ରଥମେ ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡାଙ୍କୁ ଜଣାଇଥିଲେ। ତେବେ ଏସ୍‌ପି ପଣ୍ଡା କୌଣସି ପଦକ୍ଷେପ ନ ନେବାରୁ ସେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆଇଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଆଇଜି ମହିଳା ଏଏସଆଇଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ଏହାର ତଦନ୍ତ କରୁଛନ୍ତି। ଅନ୍ୟପକ୍ଷେ ସମ୍ପୃକ୍ତ ମହିଳା ଏଏସଆଇଙ୍କ ସ୍କୁଟିରେ ସୁବଳୟା ଥାନା ଅଞ୍ଚଳର ସଂଗ୍ରାମ କେଶରୀ ପର୍ଡିଆ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ ଚୋରାଚାଲଣ କରୁତ୍ଥିବା ବେଳେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ପର୍ଡିଆ ସୁବଳୟା ଥାନାରେ ଆଉଟ ସୋର୍ସିଂ କର୍ମଚାରୀ ଭାବେ କମ୍ପ୍ୟୁଟର କାମ କରୁଥିଲେ। ଏହି ଘଟଣାକୁ ନେଇ ସୁବର୍ଣ୍ଣପୁର ପୋଲିସ ଏବେ ବଦନାମ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ଗଞ୍ଜେଇ ଓ ଅନ୍ୟ ବେଆଇନ କାରବାରରେ ଲିପ୍ତ ଥିବା ସ୍ପଷ୍ଟ ହେବାରେ ଲାଗିଛି।