ସବ୍‌-ଇନ୍ସପେକ୍ଟର ସ୍ବାଗତିକାଙ୍କ ମୃତ୍ୟୁକୁ ପୂରିଲା ବର୍ଷେ ୩ ମାସ: ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ

ନିରାକାରପୁର,୧୩ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଣ୍ଡବପାଟଣା ଗ୍ରାମର ସ୍ବାଗତିକା ବେହେରାଙ୍କ ଫୁଲବାଣୀ ଜିଲାର ଜି-ଉଦୟଗିରି ଆଦର୍ଶ ଥାନାରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ୨୦୨୨ ଅଗଷ୍ଟ ୨୭ରେ ଥାନା ପରିସରରେ ଥିବା ନିଜ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ରହସ୍ୟ ସାର୍ବଜନୀନ ଦାବି କରି ପରିବାର ଲୋକେ ସେତେବେଳେ ଜି-ଉଦୟଗିରି ଥାନା ଆଗରେ ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ ମୃତଦେହ ନେଇ ଆସିବା ପରେ ଗ୍ରାମବାସୀ ମିଳିତ ହୋଇ ସ୍ବାଗତିକା ପରିବାରର ଜଣଙ୍କୁ ଚାକିରି ଏବଂ ବିଧବା ବୋଉଙ୍କୁ ପେନ୍‌ସନ୍‌ ଭଳି ଦୁଇଦଫା ଦାବି ନେଇ ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କ ଉପରେ ସ୍ଥାନୀୟ ସରକାରୀ ମେଡିକାଲ ଛକ ନିକଟରେ ଗଣଧାରଣା ଦେଇଥିଲେ। ପରେ ତତ୍‌କାଳୀନ ବାଲୁଗାଁ ଏସ୍‌ଡିପିଓ, ନିରାକାରପୁର ଥାନା ଅଧିକାରିଣୀ ବ୍ଲକ୍‌ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଦାବି ପୂରଣ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣା ରାସ୍ତାରୁ ହଟି ମୃତଦେହ ଦାହ କରାଯାଇଥିଲା ା ହେଲେ ସ୍ବାଗତିକା ମରିବାର ବର୍ଷେ ୩ ମାସ ବିତିଯାଇଥିଲେ ମଧ୍ୟ ନା ମିଳିଲା ଦିଆଯାଇଥିବା ପ୍ରତିଶ୍ରୁତି ନା ମିଳିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ। ନା ସେ ବ୍ୟବହାର କରୁଥିବା ମୋବାଇଲ। ଏହାକୁ ନେଇ ବୁଧବାର ସ୍ଥାନୀୟ ଅଞ୍ଚଳକୁ ଆସିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଆଗରେ ନିରାକାରପୁର ଷ୍ଟେଶନ ରାସ୍ତାରେ ପରିବାର ଲୋକେ ଧାରଣା ଦେଇଥିଲେ। ଏମ୍‌ପିଙ୍କ ଆଗରେ ଆସୁଥିବା ସୁରକ୍ଷାକର୍ମୀମାନେ ଧାରଣାକାରୀଙ୍କୁ ଉଠାଇ ଏମ୍‌ପିଙ୍କ ପାଖକୁ ନେବା ପରେ ମୋ’ କାର୍ଯ୍ୟାଳୟକୁ ଆସ ବୁଝାଯିବ କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ରାସ୍ତେ ବସିଥିବା ମୃତ ସ୍ବାଗତିକାଙ୍କ ବୋଉ ଉଷାରାଣୀ ବେହେରାଙ୍କୁ ପଚାରିବାରୁ ମୋ’ ଝିଅ ଆସି ବର୍ଷେ ତିନି ମାସ ହେଲା ମଲାଣି କିନ୍ତୁ ଆଜି ଯାଏ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ କି ମୋ ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ। ଆମକୁ ଏମ୍‌ପି ଡାକିଛନ୍ତି। ତାଙ୍କ ପାଖରୁ ଆସିବା ପରେ ଯାହା କରିବୁ ବୋଲି କହିଛନ୍ତି।