ବଞ୍ଚୋ,୨୬।୧୦(ପ୍ରଦୋଷ ବିଶ୍ୱାଳ ): ଗରିବ ଶ୍ରମିକ ତପନ କୁମାର ବରାଳଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା। ତପନଙ୍କ ଚିକିତ୍ସା ସମସ୍ୟାକୁ ଗୁରୁତ୍ୱର ସହ ନେଇ ସେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଉଦ୍ୟମ କରିଛନ୍ତି ।
କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମର ୩୩ ବର୍ଷୀୟ ତପନ କୁମାର ବରାଳ ଦୀର୍ଘଦିନ ଧରି ପାଦର ଗୁରୁତର ସମସ୍ୟାରେ ପୀଡ଼ିତ ଅଛନ୍ତି । ହାଇଦ୍ରାବାଦରେ ଏକ ଷ୍ଟିଲ୍ କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କ ପାଦରେ ଏକ ଧାତବ ପଦାର୍ଥ ପଶିଯିବାରୁ ସେ ଆହତ ହୋଇଥିଲେ । ଓଡ଼ିଶା ଫେରିବା ପରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ପାଦର ଘା’ ଶୁଖିନାହିଁ । ଏବେ ମଧ୍ୟ ଘା’ରୁ ପୂଜ ବାହାରୁଥିବାରୁ ସେ ସ୍ୱାଭାବିକ ଭାବେ ଚାଲିବାରେ ଅସମର୍ଥ ହେଉଛନ୍ତି । ଆର୍ଥିକ ଅନଟନ ଯୋଗୁଁ ତପନଙ୍କ ପାଇଁ ଉନ୍ନତ ଚିକିତ୍ସା କରାଇବା କଷ୍ଟକର ହୋଇପଡ଼ିଥିବା ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । ଏଥିସହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀଙ୍କ ସହ ଆଲୋଚନା କରି ତପନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଏବଂ ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେଇଛନ୍ତି।
ପ୍ରଶାସନର ଏହି ଉଦ୍ୟମ ତପନ ଓ ତାଙ୍କ ପରିବାର ମଧ୍ୟରେ ଆଶା ସଞ୍ଚାର କରିଛି । ତପନଙ୍କୁ ଶୀଘ୍ର ଉତ୍ତମ ଚିକିତ୍ସା ମିଳିବା ସହ ସେ ପୁନର୍ବାର ସୁସ୍ଥ ହୋଇ ସ୍ୱାଭାବିକ ଜୀବନକୁ ଫେରିବେ ବୋଲି ଆଶା କରାଯାଉଛି ।