ବିପଦସଙ୍କୁଳ କୋଠାରେ ପାଠପଢ଼ା

ବେହେରା, ୧୨।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକରେ ଥିବା ଅନେକ ବିପଦସଙ୍କୁଳ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢ଼ା ଚାଲିଛି। ବ୍ଲକର ବେହେରା ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ୧ (ବାଙ୍କିମୁଣ୍ଡା) କୋଠା କାନ୍ଥଗୁଡିକରେ ବଡବଡ ଫାଟ ସୃଷ୍ଟି ହେବା ସହ ଲୁହାଛଡଗୁଡିକ ବାହାରକୁ ଦେଖାଯାଉଛି। ବର୍ଷା ଦିନରେ ଛାତରୁ ପାଣି ଗଳିବା ସହ ସିମେଣ୍ଟ ଖଣ୍ଡଗୁଡିକ ଖସିପଡ଼ୁଛି। ସେଠାରେ ବସୁଥିବା କୋମଳମତି ଛାତ୍ରୀଛାତ୍ର, ଅଙ୍ଗନୱାଡି କର୍ମୀ, ସହାୟିକାଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି କେନ୍ଦ୍ର ନଂ ୩ ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ କେନ୍ଦ୍ରରେ ତାଲା ପକାଇ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ନଂ ୪ ଓ ଗଇନ୍ତାପଡା କେନ୍ଦ୍ର ଏ ଯାବତ ନୂତନ ବିଲ୍ଡିଂ ନିର୍ମାଣ ହୋଇ ପାରିନାହିଁ। ତେଣ୍ଡାପାଳି ପଞ୍ଚାୟତସ୍ଥ ନିମପଡା ଅଙ୍ଗନୱାଡି କେନ୍ଦ୍ରର ନୂତନ ବିଲ୍ଡିଂ ଜଣେ ଠିକାଦାର ୪ ବର୍ଷ ତଳେ ନିର୍ମାଣ କରୁଥିବା ବେଳେ ନିମ୍ନମାନ କର୍ଯ୍ୟ ପାଇଁ ଗ୍ରାମବାସୀ ଅଭିଯୋଗ କରିବାରୁ ସେହି ଦିନଠାରୁ କାମ ବନ୍ଦ ପଡିରହିଛି। ଧଅଁରପୁର ପଞ୍ଚାୟତର କେନ୍ଦ୍ର ନଂ ୨ର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ୨୦୧୬ରୁ ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେହି ପଞ୍ଚାୟତର କେନ୍ଦ୍ର ନଂ ୧ ଗତ ୬ ବର୍ଷ ହେଲା ସମ୍ପୂର୍ଣ୍ଣ ଭୁଷୁଡି ପଡି ଥିଲେ ମଧ୍ୟ ପୁନଃ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ଧର୍ମଗଡ ସିଡିପିଓ ସୁଚରିତା ମହାପାତ୍ରଙ୍କୁ ପଚାରିବାରୁ କୋଠା ନ ହେଲେ ଆମେ କିଛି କରିପାରିବୁ ନାହିଁ। ତାହା ବିଡିଓ କହି ପାରିବେ। କୋଠା ସମ୍ପର୍କରେ ବୁଝିବା ଆମ କାମ ନୁହେଁ ବୋଲି କଥାକୁ ଏଡାଇ ଦେଇଥିଲେ।
ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପାଦିତ ହେଉଥିବା ବେଳେ ଏପରି ଅବ୍ୟବସ୍ଥା ପ୍ରକୃତ କାର୍ଯ୍ୟକାରିତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ର କର୍ମୀମାନେ ପ୍ରକାଶ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।