ମାର୍କରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା: ଜୁଲାଇ ୫ରୁ ଫର୍ମ ଫିଲଅପ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ କରୋନା କଟକଣା ଯୋଗୁ ବିକଳ୍ପ ଉପାୟରେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଏଥିରେ ରେଗୁଲାର୍‌ରେ ପାସ ହାର ୯୭.୮୯% ରହିଛି। ସେଥି ମଧ୍ୟରୁ ଏ୧ ଗ୍ରେଡ୍‌ରେ ୨୬୫୬ଜଣ, ଏ୨ ଗ୍ରେଡ୍‌ରେ ୨୨୧୩୧ଜଣ, ବି୧ ଗ୍ରେଡ୍‌ରେ ୫୨୨୯୯ଜଣ, ବି୨ ଗ୍ରେଡରେ ୯୪୪୭୫ଜଣ ରହିଛନ୍ତି। ତେବେ ପରୀକ୍ଷା ହୋଇ ନ ଥିବାରୁ ନିଜ ମାର୍କରେ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ସ୍ଥିତି ସ୍ବାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିଲାଗି ଜୁଲାଇ ୫ରୁ ଫର୍ମ ଫିଲଅପ୍‌ କରିବାକୁ ହେବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବୋର୍ଡ ସଭାପତି କହିଛନ୍ତି।

ପ୍ରକାଶ ଯେ, ଚଳିତ ଥର ୫,୭୪,୧୨୫ ପିଲାଙ୍କର ମୂଲ୍ୟାଙ୍କନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫,୬୧,୦୧୦ଜଣ ପାସ କରିଛନ୍ତି। ୭୭୦୩ ଛାତ୍ରୀଛାତ୍ର ଫେଲ୍‌ ହୋଇଥିବା ବେଳେ ପରୀକ୍ଷାରେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିଭଳି ୫୯୪୫ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏକ୍ସ ରେଗୁଲାର ପାସ ହାର ୮୮.୩୩% ରହିଛି। ୫୩,୨୭୯ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୪୭,୦୬୦ଜଣ ପାସ୍‌ କରିଛନ୍ତି।