ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ ଲାଗିଛି। ଇଂରାଜୀ ପେପର ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁଧବାର ସନ୍ଧ୍ୟାରେ ସଂଶୋଧିତ ମାର୍କସିଟ୍ ୱେବସାଇଟରେ ଉପଲବ୍ଧ କରାଇଛନ୍ତି। ଏହି ସଂଶୋଧିତ ପରୀକ୍ଷା ଫଳରେ ଅନେକ ଫେଲ୍ ହୋଇଥିବା ପରୀକ୍ଷାର୍ଥୀ ପାସ୍ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ବହୁସଂଖ୍ୟାକ ଛାତ୍ରଛାତ୍ରୀଙ୍କର ଇଂରାଜୀ ପେପର ବ୍ୟାକ୍ ଲାଗିଥିଲା। ଖାତା ମୂଲ୍ୟାଙ୍କନରେ ବ୍ୟାପକ ତ୍ରୁଟି ହୋଇଥିବା ଅଭିଯୋଗ କରି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଯଦି କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟାର ସମାଧାନ ନକରନ୍ତି, ତେବେ ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ପରୀକ୍ଷାକୁ ବର୍ଜନ କରାଯିବ ବୋଲି ପରୀକ୍ଷାର୍ଥୀମାନେ ଚେତାବନୀ ଦେଇଥିଲେ। ଏହି କ୍ରମରେ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉଚ୍ଚାଧିକାରୀଙ୍କୁ ଦାବିପତ୍ର ପଠାଇଥିଲେ।

ରାଜ୍ୟରେ ନୂତନ ଶିକ୍ଷାନୀତି (NEP 2020) ଲାଗୁ ହେବା ପରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଇଂରାଜୀରେ ଫେଲ୍ ହେବା ଚିନ୍ତାର ବିଷୟ ପାଲଟିଥିଲା। ତେବେ ଛାତ୍ର ଆନ୍ଦୋଳନ ଓ ଚାପର ବଶବର୍ତ୍ତୀ ହୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍ ଜାରି କରିବା ପରେ ପାସ୍ ହାର ବୃଦ୍ଧି ପାଇଛି, ଯାହାକୁ ନେଇ ଏବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଲୋଚନା ଜୋର ଧରିଛି।

Dharitri – Odisha’s No.1 Odia Daily

Share