ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ହାଇସ୍କୁଲ ୨୦୧୩ ମାଟ୍ରିକ୍ ବ୍ୟାଚ୍ର ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ। କୁକୁଡାଖଣ୍ଡି ବ୍ଲକ୍ ମା’ ମହୁରୀ କାଳୁଆ ଶକ୍ତିପୀଠ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୁରାତନ ଛାତ୍ରୀଛାତ୍ର ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ସେହି ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ପରସ୍ପର ଭିତରେ ଖୁସି ବାଣ୍ଟିବା ସହ ମଜାଦାର ବାର୍ତ୍ତାଳାପ କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୨ ଜଣ ପୁରାତନ ଛାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ଥିବା ପୁରାତନ ଛାତ୍ରୀଛାତ୍ର ବୃନ୍ଦ ଦୀର୍ଘଦିନ ପରେ ଏକାଠି ହୋଇଥିବାରୁ ପ୍ରଥମେ ନିଜ ନିଜର ପରିଚୟ ପ୍ରଦାନ କରି ପରସ୍ପରଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ। ପରେ ପାଠପଢ଼ା ସମୟର ସେହି ରୋଚକ ସ୍ମୃତିକୁ ମନେପକାଇ କିଛି ଛାତ୍ରୀଛାତ୍ର ଭାବ ବିହ୍ବଳ ହୋଇପଡ଼ିଥିଲେ। ସେମାନେ ହଜିଲା ଅତୀତର ସ୍ମୃତିଗୁଡ଼ିକୁ ମନେ ପକାଇଥିଲେ। କ୍ଲାସ ରୁମ୍ରେ ବିଗତ ଦିନର ଅମଳିନ ଏବଂ ଅପାସୋରା କଥାଗୁଡ଼ିକୁ କିଛି ଛାତ୍ର ଖୁବ୍ ଭାବ ବିହ୍ବଳ ହୋଇ ସଭାରେ ଉପସ୍ଥାପନ କରିଥିଲେ। ଅନ୍ୟ କିଛି ଛାତ୍ର ସ୍କୁଲ ବାହାରେ ଏବଂ ଟ୍ୟୁସନରେ ଘଟିଥିବା ନିଜ ନିଜର ଖଟା ମିଠା ଅନୁଭବଗୁଡ଼ିକୁ ସଭାରେ ବଖାଣି ଥିଲେ। ଶେଷରେ ପୁରାତନ ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ନାଚ ଓ ଗୀତର ଆସର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ଦ୍ବାରା ଆଗାମୀ ଦିନରେ ଏକ କମିଟି ଗଠନ କରାଯିବ ବୋଲିି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧ ଶହରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାର ଉପସ୍ଥିତ ଥିଲେ।