ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜିତ ହୋଇଛି।

ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କ୍ୟାରିୟର ବିଶେଷଜ୍ଞ ଡ. ଜେ. ଜେସି କ୍ରିଷ୍ଟିନ୍ ଅନଲାଇନ୍‌ରେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।

ବିଶେଷକରି ନିଜର ରୁଚି, ଦକ୍ଷତା ଓ ଭବିଷ୍ୟତ ଲକ୍ଷ୍ୟକୁ ଆଧାର କରି କିପରି ଉପଯୁକ୍ତ କ୍ୟାରିୟର ବାଛିବେ, ସେ ସମ୍ପର୍କରେ ସେ ଛାତ୍ରୀଛାତ୍ରଙ୍କୁ ବୁଝାଇଥିଲେ। ବିଭିନ୍ନ ଶିକ୍ଷାଗତ ବିକଳ୍ପ, ବୃତ୍ତିଗତ କ୍ଷେତ୍ର ଏବଂ ଭବିଷ୍ୟତର ସୁଯୋଗ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।

ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅଧିବେଶନରେ ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ୟାରିୟର ସମ୍ପର୍କିତ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିଥିଲେ। ପରବର୍ତ୍ତୀ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରୀଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।

ବିଦ୍ୟାଳୟରେ ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭବିଷ୍ୟତ ଶିକ୍ଷା ଓ କ୍ୟାରିୟରକୁ ନେଇ ନୂଆ ଉତ୍ସାହ ସୃଷ୍ଟି ହୋଇଥିଲା। ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ଏହି ପ୍ରୟାସକୁ ଅଭିଭାବକ ଓ ଶିକ୍ଷକ ମହଲରେ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily

Share