ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜଣେ ମନ୍ତ୍ରୀଙ୍କ ପୁତୁରାଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ପୋଲିସ ଏକ ମାମଲା(ନଂ.୨୨୬/୨୬) ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ବିଶ୍ୱଜିତ୍ ଜେନାଙ୍କୁ ଗିରଫ କରିଛି।
ପରିବାର ଲୋକେ ଅଭିଯୋଗ ମୁତାବକ, ବିଶ୍ୱଜିତ ଗତ ୧ ମାସ ଧରି ଶୃତିଙ୍କୁ ନିର୍ଯାତନା ଦେଉଥିବାରୁ ସେ ମାନସିକ ଅବସାଦରେ ରହୁଥିଲେ। ନିର୍ଯାତନା ସହି ନ ପାରି ଶୃତିଙ୍କ ମୃତ୍ୟୁ ହୋଇଛି। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ପରିବାରବର୍ଗ ପୁଣି ଅଭିଯୋଗ କରିଛନ୍ତି।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍. ଖବରଦାତାଙ୍କୁ କହିଛନ୍ତି, ଘରୋଇ କଲେଜରେ ବିସିଏ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ପୋଲିସ ବିଶ୍ୱଜିତ ଜେନାଙ୍କ ନାମରେ ମାମଲା ରୁଜୁ କରିଛି। ପୋଲିସ ଟିମ୍ ଘଟଣା ସ୍ଥଳରୁ ଅନେକ ତଥ୍ୟ ସଂଗ୍ରହ କରିଛି। ସାଇଣ୍ଟିଫିକ ଟିମ୍ ମଧ୍ୟ ନମୁନା ସଂଗ୍ରହ କରିଛି। ହଷ୍ଟେଲରେ ରହୁଥିବା ମୃତ ଛାତ୍ରୀଙ୍କ ସହପାଠୀମାନଙ୍କ ବୟାନ ରେକର୍ଡ ହୋଇଛି। ମୃତ ଛାତ୍ରୀଙ୍କ ମୋବାଇଲ ଜବତ କରାଯାଇ ସିଡ଼ିଆର ଜରିଆରେ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି।
ଏହି ଘଟଣାରେ ବିଜୁ ଜନତା ଦଳ ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ହଷ୍ଟେଲକୁ ଆସି ଆମ୍ବୁଲାନ୍ସ ଡକାଇ ଗୁରୁତର ଅବସ୍ଥାରେ ଥିବା ଶୃତିଙ୍କୁ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ। ସିସିଟିଭି ଫୁଟେଜ ଓ ପାରିପାର୍ଶିକ ପ୍ରମାଣ ନଷ୍ଟ ହେବା ପୂର୍ବରୁ ପୋଲିସ ଶୃତି ଓ ବିଶ୍ୱଜିତଙ୍କ କଲ ରେକର୍ଡ ଯାଞ୍ଚ କରି ନିରପେକ୍ଷ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଅତୀତରେ ମନ୍ତ୍ରୀଙ୍କ ଆଉ ଜଣେ ପୁତୁରା ଜଣେ ଆଇନଜୀବୀଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗତ ୨ ବର୍ଷ ମଧ୍ୟରେ ଲଗାତାର ବଳାତ୍କାର, ଗଣ ବଳାତ୍କାର ଓ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାମାନ ଘଟି ଚାଲିଛି । ଯେତେବେଳେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଅପରାଧ କଥା ଉଠୁଛି, ସେତେବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ।
ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲାରେ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଥିବା ବେଳେ ଶାସକ ଦଳର ଚାପରେ ପୋଲିସ କାମ କରୁଥିବା ମାଳ ମାଳ ଅଭିଯୋଗ ଅଛି । ଏପରି ସ୍ଥିତିରେ ଯଦି ଠିକ ତଦନ୍ତ କରା ନ ଯାଏ, ତେବେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଖବରଦାତା ସମ୍ମିଳନୀରେ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।
ଖବରଦାତା ସମ୍ମିଳନୀରେ ବ୍ରହ୍ମପୁରର ପୂର୍ବତନ ଏମ୍ପି ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ କୁମାର ଦାଶ, ଜିଲା ପରିଷଦ ଉପାଧକ୍ଷା ଏସ.ରାଜେଶ୍ୱରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।