ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ ଅମିରାବାଦ, ବାଙ୍କିଛନ୍ଦା, ମେର୍ଦ୍ଦା, ଓଳିଆ ଗ୍ରାମର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଏହି ୭ ଛାତ୍ରୀ ଗତ ଦୁଇ ଦିନ ମଧ୍ୟରେ ସ୍କୁଲକୁ ଆସିବା ବାଟରେ ହଠାତ୍ ତଳେ ପଡ଼ି ଯାଇ ବାଉଳି ଚାଉଳି ହୋଇ ଗପିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମେଡିକାଲ୍କୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଗୁରୁବାର ଫେରିଛନ୍ତି। ଶୁକ୍ରବାର ମଧ୍ୟ ଜଣେ ଛାତ୍ରୀ ହଠାତ୍ ପଡ଼ିଯାଇଥିଲେ।
ଅପରପକ୍ଷରେ ଏହି ଘଟଣା ପରେ ବିଦ୍ୟାଳୟର ସାଥୀ ଛାତ୍ରୀମାନଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆଜି ଏକ ମେଡିକାଲ ଟିମ୍ ଏହି ବିଦ୍ୟାଳୟ ପରିଦର୍ଶନ କରି ଅନ୍ୟ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ନିରଞ୍ଜନ କର ସୂଚନା ଦେଇଛନ୍ତି ବୋଲି ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ, ଶ୍ରୀମନ୍ତ ଦାସ କହିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଏହା କୌଣସି ଅଲୌକିକ ବା ଭୌତିକ କାରଣ ନୁହେଁ, ଜଣେ ପିଲା ଭୟ କିମ୍ବା ମାନସିକ ଚାପ ଯୋଗୁ ଅସୁସ୍ଥ ହେଲେ, ତାହାକୁ ଦେଖି ଅନ୍ୟ ପିଲାମାନେ ମଧ୍ୟ ମାନସିକ ଭାବେ ପ୍ରଭାବିତ ହୋଇ ଅସୁସ୍ଥ ଅନୁଭବ କରନ୍ତି। ଗୁଜବରୁ ଦୂରେଇ ରହିବା ସହ ପିଲାଙ୍କୁ ମାନସିକ ସାହସ ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଟିମ୍ ଓ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

