ଆଳି,୧୩ା୧୧(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପଦନୀପାଳ ପଞ୍ଚାୟତରେ ଥିବା ଡିପିଏସ୍ ନୋଡାଲ ହାଇସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହେଲାନି। ଯାହାକୁ କେନ୍ଦ୍ର କରି ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ଆଳି ପଦନୀପାଳରେ ଥିବା ଡିପିଏସ୍ ନୋଡାଲ ହାଇସ୍କୁଲରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି।
ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ନିମନ୍ତେ ଏବେ ଜଣେ ମାତ୍ର ଶିକ୍ଷୟିତ୍ରୀ ଅଛନ୍ତି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ନିମନ୍ତେ ତିନି ଜଣ ଶିକ୍ଷକ ଅଛନ୍ତି। ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୧ଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷକ ଅଛନ୍ତି। ଯାହାଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି।ବିଦ୍ୟାଳୟର ୩ ଶିକ୍ଷକଙ୍କୁ ଡେପୁଟେଶନରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ବିଇଓ ଅଫିସକୁ ସ୍ଥାନାନ୍ତର କରି ନିଆଯାଇଛି। ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା ନିମନ୍ତେ ଦାବି କରିଛନ୍ତି ଅଭିଭାବକ ଓ ଛାତ୍ରୀଛାତ୍ର।