ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କି.ମି. ଚାଲିଲେ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ, ୮।୧୨: ଓଡ଼ିଶା ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ପ୍ରାୟ ୩ଶହ ଛାତ୍ରୀଛାତ୍ର ୫ କି.ମି.ଚାଲି ଚାଲି ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟିଛନ୍ତି। ସ୍କୁଲରେ ଥିବା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ସେମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ସ୍କୁଲରେ ଥିବା ସମସ୍ତ ସମସ୍ୟା ସମାଧାନ ହେବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଛାତ୍ରୀଛାତ୍ରମାନେ ଫେରିଛନ୍ତି।
ଆଦିବାସୀ ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଠିକ୍‌ ଭାବେ ଖାଇବାକୁ ଦିଆଯାଉନାହିଁ। ଏଥିସହ ଶୌଚାଳୟର ଅବ୍ୟବସ୍ଥା, ୟୁନିଫର୍ମ ନ ଦେବା, ପାଠପଢ଼ା ପାଇଁ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଅଭିଯୋଗ କଲେ ପ୍ରିନ୍ସିପାଲ ଛାତ୍ରୀଛାତ୍ରଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ନେଇ ଛାତ୍ରୀଛାତ୍ର ମଙ୍ଗଳବାର ଶିରୁଗୁଡ଼ାରୁ ଚାଲିଚାଲି ବାହାରିଥିଲେ। ସେମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ଖବରପାଇ ଅତିରିକ୍ତ ଜିଲାପାଳ ସେମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଛାତ୍ରୀଛାତ୍ରମାନେ ଶୁଣି ନ ଥିଲେ।
ଏହାପରେ ଜିଲାପାଳ ସେମାନଙ୍କୁ ସମ୍ମିଳନୀ କକ୍ଷକୁ ଡକାଇଥିଲେ। ସେଠାରେ ପିଏ ଆଇଟିଡିଏ ଓ ଜିଲାପାଳ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଖାଦ୍ୟପେୟଠାରୁ ଶିକ୍ଷାଦାନ ପର୍ଯ୍ୟନ୍ତ ସବୁ ପ୍ରକାର ଅବହେଳା କରାଯାଉଛି। ଏ ନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି। ଆଗାମୀ ଦିନରେ ପିଲାମାନଙ୍କ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବ ବୋଲି ଜିଲାପାଳ ମିଶ୍ର କହିଛନ୍ତି।