ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ ୨୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ନେଇ ସୂଚନା ମିଳିଛି। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ୪ ଜଣ ପ୍ରାର୍ଥୀ— ଶୁଭମ କୁମାର ମହାନ୍ତ, ପୁଣ୍ୟବନ୍ତ ପ୍ରଧାନ, ସାଲୋନି ତ୍ରିପାଠୀ ଓ ପୂର୍ଣ୍ଣିମା ବେହେରାଙ୍କ ମଧ୍ୟରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଅପରପକ୍ଷରେ ସାଧାରଣ ସମ୍ପାଦକ ପଦ ପାଇଁ ଅଙ୍କିତା ବାରିକ ଓ ଆକାଶ ପାତ୍ରଙ୍କ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହେବ। ସେହିପରି ସହକାରୀ ସାଧାରଣ ସମ୍ପାଦକ, ଆଥଲେଟିକ୍‌ କ୍ଲବ୍‌ ସମ୍ପାଦକ, ସହକାରୀ ଡ୍ରାମାଟିକ୍‌ ସମ୍ପାଦକ ଓ ଡିଏସ୍‌ଏ (DSA) ର ବିଭିନ୍ନ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ବେଳେ ଡ୍ରାମାଟିକ୍‌ ସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୨ଜଣ ଛାତ୍ର ବିଜେଡ଼ି ସମର୍ଥିତ ବୋଲି ଜଣାପଡିଛି।

ଅନ୍ୟପଟେ, ଉପସଭାପତି ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଶ୍ୱପ୍ରକାଶ ନାୟକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ତ୍ରିଦେବ ମହାନ୍ତ ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି। ସେହିପରି ସହକାରୀ କ୍ରୀଡ଼ା ସମ୍ପାଦକ ପଦବୀରେ ବର୍ଷାରାଣୀ ମହାନ୍ତ ଏକମାତ୍ର ପ୍ରାର୍ଥୀ ଅଛନ୍ତି, ଯାହାଫଳରେ ଏହି ଦୁଇ ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାକୁ ଥିବା ଏହି ଦୁଇ ପ୍ରାର୍ଥୀ ‘ବିଜୁ ଛାତ୍ର ଜନତା ଦଳ’ ସମର୍ଥିତ ବୋଲି ଜଣାପଡ଼ିଛି। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ, ଉଚ୍ଚଶିକ୍ଷା ବିଭାଗର ନିୟମ ଓ ଆଚରଣବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଓ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ସମସ୍ତ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share