ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ନିଖୋଜ ଛାତ୍ର ଜଣକ ହେଉଛନ୍ତି ସ୍ବସ୍ତିକ ପାଢ଼ୀ(୧୬)।
ମିଳିଥିବା ସୂଚନା ମୁତାବକ, ସ୍ବସ୍ତିକ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୨ ପଢ଼ୁଥିଲେ। ଛୁଟି ହେବାରୁ ସେ ସମ୍ବଲପୁର ବୁଢ଼ାରଜା ସହଯୋଗନଗର ନିଜ ଘରକୁ ଆସିଥିଲେ। ତେବେ ସମ୍ବଲପୁରରେ ସେ ପୂର୍ବରୁ ପଢ଼ୁଥିବା ନିଜ ଟିଉସନ ଶିକ୍ଷକ ଏବଂ ଅନ୍ୟ କିଛି ସାଙ୍ଗମାନଙ୍କ ସହ ପାଓ୍ବାର ଚ୍ୟାନେଲ ପାର୍ଶ୍ୱସ୍ଥ ଅଠରହଜାରକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ସେଠାରେ ପାଓ୍ବାର ଚ୍ୟାନେଲରେ ଗାଧୋଉଥିବା ସମୟରେ ସମ୍ଭବତଃ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଛନ୍ତି।
ଖବର ପାଇ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପାଣିର ପ୍ରଖର ସ୍ରୋତ ଓ ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହେଉଛି। ସ୍ବସ୍ତିକଙ୍କ ବାପା  ବିଦ୍ୟୁତ ବିଭାଗରେ ଏସଡିଓ (SDO) ଭାବେ କାର୍ଯ୍ୟରତ ଅଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସହଯୋଗ ନଗର ଏବଂ ଝାଡ଼ୁଆପଡ଼ା ଅଞ୍ଚଳର ବହୁ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ଜାରି ରହିଛି ଏବଂ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Dharitri – Odisha’s No.1 Odia Daily

Share