ଛାତ୍ର ସଂସଦ ନିର୍ବାଚନ: ଶ୍ରେୟ ପାଇଁ ଭିଡ଼ାଓଟରା, ଜାଣନ୍ତୁ କିଏ ଜିତିଲେ କେତେ ଆସନ

ଭୁବନେଶ୍ୱର,୧୭ା୧୦ (ରବିନାରାୟଣ ଜେନା):ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନ ବେଳେ ଅନେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ନିର୍ବାଚନ ବାତିଲ କରାଯିବା ସହ ‘ସାଇନ୍‌ ଏ ଡାଏ’ ଘୋଷଣା କରାଯାଇଛି। ମାତ୍ର ଛାତ୍ର ସଂସଦ ନିର୍ବାଚନକୁ ନେଇ ଯେଉଁ ଫଳାଫଳ ଆସିଛି ସେଥିରୁ ଶ୍ରେୟ ନେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏବଂ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଭିଡ଼ାଓଟରା ହେଉଛନ୍ତି। ଏବିଭିପି ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ କ୍ଲିନ୍‌ ସ୍ବିପ୍‌ କରିବା ସହ ଶତାଧିକ କଲେଜରେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଥିବାବେଳେ ବିସିଜେଡି ରାଜ୍ୟରେ ୬୦% ଆସନରେ ବିଜୟ ଲାଭ କରିଥିବା ଦାବି କରୁଛିି। ଅନ୍ୟପକ୍ଷରେ କଂଗ୍ରେସ ଏହାକୁ ଅବୈଧ ନିର୍ବାଚନ ବୋଲି ଯୁକ୍ତି ବାଢ଼ିଛି।
ଏବିଭିପି ପକ୍ଷରୁ ଶୁକ୍ରବାର କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି, ରାଜ୍ୟରେ ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ ଏବିଭିପିର କ୍ଲିନ୍‌ ସ୍ବିପ୍‌ ହୋଇଛି। ୧୦ଟିରେ ସମ୍ପାଦକ ଓ ସହସମ୍ପାଦକ ସହ ଅନ୍ୟାନ୍ୟ ପଦ ହାତେଇଛୁ। ମାତ୍ର ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡି ନାଟକ ରଚିବାରୁ ଏବଂ ଅର୍ଥ ବାଣ୍ଟିବାରୁ ସେଠାରେ ଆମର ଟିକେ ସ୍ଥିତି ଦୁର୍ବଳ ରହିଛି। ଆଗାମୀ ଦିନରେ ରମାଦେବୀ ବିଶ୍ୱବିଦ୍ୟାଳୟରେ କିଭଳି ଏବିଭିପି ଭଲ ପ୍ରଦର୍ଶନ କରିବ ତାହାର ସମୀକ୍ଷା କରାଯାଇ ଗୁରୁତ୍ୱ ଦିଆଯିବ। ଜେନ୍‌-ଜିମାନେ ଏବିଭିପି ସହିତ ରହିଛନ୍ତି ବୋଲି ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ବିଜେଡି ପ୍ରତି ଛାତ୍ରୀଛାତ୍ରମାନେ ବିପୁଳ ସମର୍ଥନ ଜଣାଇଛନ୍ତି, ଯାହାକୁ ଭାଜପା ସହଜରେ ଗ୍ରହଣ କରିପାରୁନାହିଁ। ରାଜ୍ୟର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ କଲେଜରେ ବିଜେଡି ବିଜୟ ହାସଲ କରିଛି। କିନ୍ତୁ ଶାସକ ଦଳର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ନେତାମାନେ ଏବିଭିପି ରାଜ୍ୟର ୮୦% କଲେଜରେ ବିଜୟ ହୋଇଛି ବୋଲି ଅପପ୍ରଚାର କରୁଛନ୍ତି। ଈପ୍ସିତା କହିଛନ୍ତି, ଯଦି ସତ୍‌ସାହସ ଅଛି, ସତକୁ ସ୍ବୀକାର କରନ୍ତୁ ଏବଂ ତଥ୍ୟ ଉପସ୍ଥାପନ କରନ୍ତୁ । ଜେନ୍‌ ଜିମାନେ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରମାଦେବୀରେ ବିସିଜେଡିର ହୋଇଥିବା ବିପୁଳ ବିଜୟକୁ ନେଇ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର ଦେଇଛନ୍ତି ବୋଲି ଈପ୍ସିତା କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଛାତ୍ର କଂଗ୍ରେସର ନୈରାଶ୍ୟଜନକ ସ୍ଥିତିକୁ ନେଇ ଛାତ୍ରକଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ଏହା ଅବୈଧ ନିର୍ବାଚନ। ରାଜ୍ୟ ସରକାର ଷଡ଼ଯନ୍ତ୍ର କରି ଅତି ସ୍ବଳ୍ପ ସମୟ ମଧ୍ୟରେ ନିର୍ବାଚନ କରି ନିଜ ସପକ୍ଷରେ ଗଣତନ୍ତ୍ରକୁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ନିର୍ବାଚନ ବେଳେ ଯେଭଳି ଭାବେ ନିର୍ବାଚନ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯାଇଛି ତାହା ଅଗଣତାନ୍ତ୍ରିକ। ଏହାସହିତ ଏହି ନିର୍ବାଚନରେ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ସରକାରୀ କଳର ଯେଭଳି ଭାବେ ଅପବ୍ୟବହାର କରାଗଲା ତାହା ରାଜ୍ୟବାସୀ ଓ ଜେନ ଜି ଦେଖିଛନ୍ତି। ଆଗାମୀ ଦିନରେ ଯୁବପିଢ଼ି ଏହାର ଉଚିତ ଜବାବ ଦେବେ ବୋଲି ବିଭୂତି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share