ଛାତ୍ରାବାସରେ ଅଘଟଣ: ନଡ଼ିଆ ଗଛରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ାସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି। ନଡ଼ିଆ ଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆବିଆଲ କାର୍ଜୀ।

ମିଳିଥିବା ସୂଚନା ମୁତାବକ, ଆବିଆଲ ଉକ୍ତ ଛାତ୍ରାବାସରେ ରହି ପଢ଼ୁଥିଲେ। ହେଲେ ରବିବାର ଅପରାହ୍ନରେ ଛାତ୍ରାବାସ ପରିସର ଏକ ନଡ଼ିଆ ଗଛରେ ଚଢ଼ିଥିବା ବେଳେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଗୁଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି।