ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ ବର୍ଷ ଧରି ସେଠାରେ ବସବାସ କରୁଥିବା ଅନୁପ୍ରବେଶକାରୀ ସମୁଦ୍ର ପଥ ଦେଇ କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳ ମହାକାଳପଡ଼ା ବ୍ଲକ୍‌କୁ ଆସିବା ସମ୍ଭାବନା ରହିଛି। ମହାନଦୀ ମୁହାଣ, ହୁକିଟୋଲା, ଲଞ୍ଚଘୋଲା, ଷୋଳମୁହାଣ, ତଣ୍ଡା ଜଙ୍ଗଲ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପାର୍ଶ୍ୱରେ ଅନୁପ୍ରବେଶକାରୀ ସୁରକ୍ଷିତ ଭାବି ଆଶ୍ରୟ ନେଇପାରନ୍ତି ବୋଲି କୁହାଯାଉଛି। ଏହାକୁ ଲକ୍ଷ୍ୟକରି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜମ୍ବୁ ସାମୁଦ୍ରିକ ଥାନା ଓ ତନ୍ତିଆପାଳ ସାମୁଦ୍ରିକ ଥାନା ପକ୍ଷରୁ ହାଇସ୍ପିଡ୍‌ ବୋଟ୍‌ ସମୁଦ୍ରପାର୍ଶ୍ୱ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି ଏହି ଅଞ୍ଚଳରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଜିଲା କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷା ବାହିନୀ ନିୟୋଜିତ କରିବା ସହ ଡ୍ରୋନ୍‌ କ୍ୟାମେରାରେ ନିରୀକ୍ଷଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ଅନିତା ସ୍ବାଇଁଙ୍କୁ ପଚାରିବାରୁ ପୋଲିସ ପକ୍ଷରୁ ସମୁଦ୍ର ପଥରେ ହାଇସ୍ପିଡ୍‌ ବୋଟ୍‌ ଯୋଗେ ସମ୍ବେଦନଶୀଳ ଅଞ୍ଚଳରେ ପଇଁତରା ମରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share