ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ଜୋରଦାର ବିରୋଧ

ପୁରୀ ଅଫିସ, ୧୮ା୧୨: ପୁରୀ ଚକ୍ରତୀର୍ଥରୋଡ୍‌ ନିକଟରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ କ୍ଷୁଦ୍ର ବ୍ୟବସାୟୀ, ମତ୍ସ୍ୟଜୀବୀ ଏବଂ ଉଠାଦୋକାନୀ ଜୋରଦାର ବିରୋଧ କରିଛନ୍ତି। ଶୁକ୍ରବାର ଚକ୍ରତୀର୍ଥ ବେଳାଭୂମି କାର୍ଯ୍ୟସ୍ଥଳରେ କ୍ଷୁଦ୍ର ବ୍ୟବସାୟୀ, ମତ୍ସ୍ୟଜୀବୀ ଏବଂ ଉଠାଦୋକାନୀମାନେ ଧାରଣା ଦେଇଥିଲେ। ଏପରିକି ବାଲି ସମତୁଲ କରିବାକୁ ଆସିଥିବା ଜେସିବି ଆଗରେ ବସିରହି ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ। ଆନ୍ଦୋଳନକାରୀ କହିଛନ୍ତି, ପୂର୍ବରୁ ସୁଭାଷ ଛକ ନିକଟରେ ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ ବିଚ ନିର୍ମାଣ କରାଯାଇଛି। ଏହି ବିଚ୍‌କୁ ପ୍ରବେଶ ନେଇ ପ୍ରଶାସନ ପକ୍ଷରୁ ଟିକେଟ ବ୍ୟବସ୍ଥା ହୋଇଛି। ସେହିପରି ସେଠାରେ ପୂର୍ବରୁ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଏବେ ବ୍ୟବସାୟ କରିବା ନେଇ କଟକଣା ଜାରି କରାଯାଇଛି। ଫଳରେ ହଜାର ହଜାର ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ରୋଜଗାର ହରାଇ ଆର୍ଥତ୍କ ଅନଟନ ମଧ୍ୟରେ କାଳ କାଟୁଛନ୍ତି। ପ୍ରଶାସନ ସେମାନଙ୍କ ଜୀବିକା ଛଡ଼ାଇ ନେଇଛି। ଏଭଳି ସ୍ଥିତିରେ ପ୍ରଶାସନ ଲୋକଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ନ ଦେଇ ପୁଣି ଚକ୍ରତୀର୍ଥ ରୋଡ୍‌ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ୍‌ ବିଚ୍‌ ନିର୍ମାଣ କରୁଛି। ଏହାଦ୍ୱାରା ସେଠାରେ ବ୍ୟବସାୟ କରୁଥିବା ଲୋକେ ବେକାର ହେବା ସହ ଆର୍ଥତ୍କ ଅନଟନ ଦେଇ ଗତି କରିବେ। ତେଣୁ ଏହି ବ୍ଲୁ ଫ୍ଲାଗ୍‌ ବିଚ୍‌ ନିର୍ମାଣକୁ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।