ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା ସିଟି ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ରାଜଧାନୀରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପିତାଲୋଜା ଆରିବା ବସତିଠାରୁ ପ୍ରାୟ ୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଥିଲା। ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ଭୂକମ୍ପ ପରେ ହେରେରା, ଭେରାଗୁଆସ ଏବଂ ଲସ ସାଣ୍ଟୋସ ପ୍ରଦେଶରେ ସମ୍ଭାବ୍ୟ ସୁନାମୀ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଅଞ୍ଚଳଗୁଡ଼ିକରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ।
ଶକ୍ତିଶାଳୀ ଭୂକମ୍ପ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭୂକମ୍ପ ପରବର୍ତ୍ତୀ ସ୍ଥିତି ଏବଂ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।