ପାରଳାଖେମୁଣ୍ଡି, ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ ଚନ୍ଦ୍ର ବରାଡ (୫୫)। ସେ ପେଶାରେ ଜଣେ ପନିପରିବା ବ୍ୟବସାୟୀ ଥିଲେ। ତେବେ ଏହି ଦୁର୍ଘଟଣା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ଥିବା ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ସୁବାସ ପ୍ରତିଦିନ ଭଳି ପାରଳାଖେମୁଣ୍ଡି ସହରରୁ ବ୍ୟବସାୟ ସାରି ନିଜ ଗ୍ରାମକୁ ଫେରୁଥିଲେ। ମାତ୍ର ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ ନିକଟସ୍ଥ ମହେନ୍ଦ୍ରତନୟା ନଦୀ ଘାଟରୁ ତାଙ୍କ ସାଇକେଲ ଓ ପୋଷାକ ମିଳିବା ପରେ ସେ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରାଯାଇଥିଲା।
ଗ୍ରାମବାସୀ ଓ ଅଗ୍ନିଶମ ବିଭାଗକୁ ଏ ନେଇ ଖବର ଦିଆଯାଇଥିଲା। ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ନଦୀରୁ ସୁବାସଙ୍କ ମୃତଦେହ ଉଦ୍ଧାର କରିସାରିଥିଲେ। ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ଏହି ଘଟଣା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ମୃତଦେହ ସଂରକ୍ଷଣ ଗୃହରେ (ଶବାଗାର) ଥିବା ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ଥିବା ଆଇସ୍ ବକ୍ସଟି ଦୀର୍ଘ ତିନି ମାସ ହେବ ଅଚଳ ହୋଇ ପଡ଼ିରହିଛି। ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ବକ୍ସଟି ସଠିକ ଭାବେ କାମ କରୁ ନ ଥିବାରୁ ଶବ ରଖିବାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ଚିକିତ୍ସାଳୟ ପରିସରରେ ମୃତକଙ୍କ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା।
ଜିଲାର ଏହି ଏକମାତ୍ର ପ୍ରମୁଖ ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ରରେ ଏଭଳି ସମ୍ବେଦନଶୀଳ ଅବ୍ୟବସ୍ଥା ରୋଗୀଙ୍କ ପରିବାର ଓ ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି। ମୃତଦେହର ସମ୍ମାନଜନକ ରକ୍ଷଣବେକ୍ଷଣ ପାଇଁ ତୁରନ୍ତ ଏହି ଆଇସ୍ ବକ୍ସର ମରାମତି କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଜୋରଦାର ଦାବି କରିଛନ୍ତି।