ଗୋପାଳ ପଣ୍ଡା ବିଦ୍ୟାଳୟ ଅଶାନ୍ତ: ଧାରଣାରେ ଛାତ୍ରୀଛାତ୍ର

ରସୁଲପୁର,୫।୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୫-ଟି ରୂପାନ୍ତରିତ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାଧବ ସ୍ବାଇଁଙ୍କୁ ଅନ୍ୟ ବିଦ୍ୟାଳୟକୁ ୩ଦିନ ଡେପୁଟେଶନରେ ପଠାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଉକ୍ତ ନିର୍ଦ୍ଦେଶନାମାକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ବିଦ୍ୟାର୍ଥୀ, ଅଭିଭାବକ, କମିଟି ସଦସ୍ୟ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି, ଯାହାର ପ୍ରତିଫଳନ ବିଦ୍ୟାଳୟର ଫାଟକ ସମ୍ମୁଖରେ ଶନିବାର ଦେଖିବାକୁ ମିଳିଛି। ଡେପୁଟେଶନ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ବିଦ୍ୟାର୍ଥୀ ଶ୍ରେଣୀ ଗୃହ ବର୍ଜନ କରିଛନ୍ତି। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ଦାବିରେ ବିଦ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଖବର ପାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଅରୁଣ ସେଠୀ ପହଞ୍ଚତ୍ ପ୍ରଧାନଶିକ୍ଷକ କମଳ ଲୋଚନ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଧାରଣାରତ ବିଦ୍ୟାର୍ଥୀଙ୍କୁ ବୁଝାଇଥିଲେ। ପିଲାଙ୍କ ସମସ୍ୟା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବାକୁ ପ୍ରତିଶ୍ର୍ରୁତି ଦେବାପରେ ପିଲାମାନେ ଶ୍ରେଣୀ କକ୍ଷକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଭଳିସ୍ଥିତି ପ୍ରଥମେ ଦର୍ଶନ ସରକାରୀ ହାଇସ୍କୁଲରେ ଘଟିଥିଲା। ଘଟଣା ସମ୍ପର୍କରେ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଡେପୁଟେଶନ ନିର୍ଦ୍ଦେଶ ବାତିଲ ପାଇଁ ଅଭିଯୋଗ ଜରିଆରେ ଅନୁରୋଧ କରିବା ସହ ଏହାର ନକଲ ଜିଲା ଶିକ୍ଷାଧିକାରୀ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ସୋମବାର ଅଭିଭାବକ ଜିଲାପାଳଙ୍କୁ ଭେଟିବେ ବୋଲି ମସୁଧା କରୁଛନ୍ତି। ଅନ୍ୟପକ୍ଷରେ ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ଚିଠି ଜରିଆରେ ଅବଗତ କରାଯିବ ବୋଲି ପ୍ରଧାନଶିକ୍ଷକ ପଣ୍ଡା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଶିକ୍ଷକ ସ୍ବାଇଁଙ୍କୁ ଡେପୁଟେସନରେ ଯିବା ପାଇଁ ୧ ତାରିଖରେ ବିଦ୍ୟାଳୟକୁ ଚିଠି ଆସିଥିଲା। ପ୍ରଧାନଶିକ୍ଷକ ୬ତାରିଖ ଦିନ ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଯିବା ପାଇଁ ଅନୁମତି ପ୍ରଦାନ କରିବେ। ମାତ୍ର ଏଠାରେ ପିଲାଙ୍କ ଧାରଣା ପ୍ରଧାନଶିକ୍ଷକଙ୍କ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରୁଛି। ସେହିପରି ଅନୁରୂପସ୍ଥିତି ଦର୍ଶନ ହାଇସ୍କୁଲରେ ଦେଖାଯାଇଛି। ଏଠରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ଯିବା ପାଇଁ ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶକୁ ବିରୋଧ କରାଯାଇଛି। ଏକ ପ୍ରତିନିଧି ଦଳ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ବିଫଳ ହେଲେ ବିଦ୍ୟାର୍ଥୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି।