ଜମି ପଟ୍ଟାରେ ସଅର କାଟି ଶବର ଲେଖାଯାଉ

କଟକ ଅଫିସ,୩୧।୩: ଜମି ପଟ୍ଟାରେ ଶବର ଲେଖାଯିବା ପରିବର୍ତ୍ତେ ସଅର ଲେଖାଯାଇଛି। ରାଜ୍ୟ ସରକାରଙ୍କ ଏପରି ଭୁଲ୍‌ ଯୋଗୁ ଗରିବ ଆଦିବାସୀ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏହାକୁ ବିରୋଧ କରି ବୁଧବାର ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲାର ୮୭୨ ଜଣ ଗରିବ ଆଦିବାସୀ ବୁଧବାର ସିଡିଏ ନେତାଜୀ ସେତୁ ନିକଟରୁ ଶୋଭାଯାତ୍ରାରେ ବାହାରି ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଧାରଣାରେ ବସିଥିଲେ। ପରେ ରାଜସ୍ବ ପର୍ଷଦ ସଦସ୍ୟ ଜି.ଭି.ଭି. ଶର୍ମା ଦେବାଶିଷଙ୍କ ସମେତ ଏକ ତିନିଜଣିଆ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଏପ୍ରିଲ ୨୮ରେ ସମ୍ବଲପୁର ଆର୍‌ଡିସି ଢେଙ୍କାନାଳ ଯାଇ ସମସ୍ୟାର ସମାଧାନ କରିବେ ବୋଲି ଶର୍ମା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ପ୍ରିନ୍ସିପାଲ୍‌ ସେକ୍ରେଟାରୀ ରଞ୍ଜନା ଚୋପ୍ରା ୨୦୦୯ ଜୁନ୍‌ ୧୨ରେ ଜମିପଟ୍ଟାରେ ଜାତି ସ୍ଥାନରେ ଲେଖାଯାଇଥିବା ସଅରକୁ କାଟି ତୁରନ୍ତ ଶବର ଲେଖାଯିବା ପାଇଁ ଜିଲାପାଳମାନଙ୍କୁ ବୋର୍ଡ ଅଫ୍‌ ରେଭିନ୍ୟୁର କ୍ଷମତା ପ୍ରଦାନ କରିବା ନିମନ୍ତେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖିଥିଲେ। ସେହିପରି ପୋଲିସ୍‌ ଡିଜି ମଧ୍ୟ ମେମ୍ବର ଶର୍ମାଙ୍କୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ୨୮ା୪ା୨୦୨୧ରେ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଶର୍ମା କୌଣସି ପଦକ୍ଷେପ ନ ନେବାରୁ ଏହି ଧାରଣା ଦିଆଯାଇଥିଲା ବୋଲି ହୋତା କହିଛନ୍ତି।