ଯାତ୍ରୀବାହୀ ଟ୍ରେନ୍‌ ପାଇଁ ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୧।୧୧: କେନ୍ଦ୍ରାପଡ଼ା ଜିଲା ମ‘ଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରୁ ମାଲବାହୀ ଟ୍ରେନ ଚଳାଚଳ କରୁଛି। ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବି କରି କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ୪ ଘଣ୍ଟିଆ ରେଳରୋକୋ ଗୋପ ସ୍ଥିତ କେନ୍ଦ୍ରାପଡ଼ା ରେଳ ଷ୍ଟେଶନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ରେଳରୋକୋର ନେତୃତ୍ୱ ନେଇଥିବା ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ରେଳ ହେଉଛି ବିକାଶର ମାର୍ଗ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଅଦ୍ୟାବଧି ପଡିନାହିଁ। ମାଲବାହୀ ଗାଡି ଚଳାଚଳ ପରେ ଜିଲାବାସୀ ଶିଳ୍ପ ପାଇଁ ଭିତ୍ତିଭୂମି ସହ ଯାତ୍ରାପଥ ସୁଗମ ହେବ ବୋଲି ଚିନ୍ତା କରିଥିଲେ। ଏଥିପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ସୁଫଳ ମିଳିପାରୁନି। ଏବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଅଛନ୍ତି। ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବହୁବାର ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସୁଫଳ ନ ମିଳିବାରୁ ପୂର୍ବାହ୍ନ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରେଳରୋକୋ କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୌମେନ୍ଦ୍ର କୁମାର ପୃଷ୍ଟି, ଶରତ କୁମାର ବେହୁରା, ସମ୍ବିତ ଶ୍ରୀଚନ୍ଦନ, ମୁର୍ସିଦ ଆଲମ ପ୍ରମୁଖ ସାମିଲ ହୋଇଥିଲେ।