ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଟ୍ରେନ୍‌

ଝାରସୁଗୁଡା ଅଫିସ,୫।୫: ରେଳ ରହଣି ଦାବିରେ ସ୍ଥାନୀୟ ନାଗରିକ କମିଟି ତରଫରୁ ଗୁରୁବାର ସକାଳ ୬ଟାରୁ ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ ଆରମ୍ଭ ହୋଇଛି। ଶତାଧିକ ଆନ୍ଦୋଳନକାରୀ ରେଳଧାରଣା ଉପରେ ଟେଣ୍ଡ ପକାଇ ବସି ରହିଛନ୍ତି। ଫଳରେ କେତେକ ଯାତ୍ରୀବାହୀ ଟ୍ରେନ୍‌ ଓ ମାଲ ବୋଝେଇ ଟ୍ରେନ୍‌ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଛି। ଏନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଏନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଯାତ୍ରୀବାହୀ ଟ୍ରେନ୍‌ ରହୁଥିବାବେଳେ କରୋନା ପାଇଁ କେତେକ ଟ୍ରେନ ରହଣିକୁ ରେଳବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି। ହେଲେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅଦ୍ୟାବଧି ରେଳରହଣି ସ୍ବାଭାବିକ ହୋଇପାରିନାହିଁ। ଫଳରେ ରେଳଯାତ୍ରୀମାନେ ଯାତାୟତ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ବରୁ ଅନେକ ଥର ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ କୌଣସି ସୁଫଳ ମିଳିନାହିଁ । ଫଳରେ ସ୍ଥାନୀୟ ଲୋକେ ଆଇନକୁ ହାତକୁନେଇ ଆନ୍ଦୋଳନ କରିବାପାଇଁ ବାଧ୍ୟ ହୋଇଛନ୍ତି । ଏନେଇ ପୌର ପରିଷଦ କାର୍ଯ୍ୟାଳୟରେ ଗତ ବୁଧବାର ସନ୍ଧ୍ୟାରେ ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ରେଳବାଇ କର୍ତ୍ତୃପକ୍ଷ,ଆନ୍ଦୋଳନକାରୀ ଓ ପୋଲିସ ଉପସ୍ଥିତରେ ଆଲୋଚନା ହୋଇଥିଲା। ହେଲେ ଏହା ଫଳପ୍ରଦ ହୋଇ ନ ଥିଲା। ଫଳରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି।