ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା ପୋଲିସ ବିଭିନ୍ନ ବ୍ୟାଙ୍କ ଓ ସୁନା ଋଣ ପ୍ରଦାନକାରୀ ପ୍ରତିଷ୍ଠାନ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି।

ପରିଦର୍ଶନ ସମୟରେ ବ୍ୟାଙ୍କଗୁଡ଼ିକର ସିସିଟିଭି କ୍ୟାମେରା, ଆଲାର୍ମ ବ୍ୟବସ୍ଥା, ସୁରକ୍ଷାକର୍ମୀଙ୍କ ଉପସ୍ଥିତି ସମେତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଦୁର୍ଗାପୂଜା ସମୟରେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପୋଲିସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି। ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସର ଏଭଳି ଯାଞ୍ଚ ଓ ପାଟ୍ରୋଲିଂ ଜାରି ରହିବ।

ଏହି ସୁରକ୍ଷା ଯାଞ୍ଚରେ ଆନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ କମଳ କୁମାର ପଣ୍ଡାଙ୍କ ସହ ଘଷିପୁରା ଥାନା ଅଧିକାରୀ ଓ ପୋଲିସ ଟିମ୍‌ ସାମିଲ ହୋଇଥିଲେ। ସମସ୍ତଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଦୁର୍ଗାପୂଜା ପାଳନ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି।

Dharitri – Odisha’s No.1 Odia Daily

Share