ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ହରିଶ ବି. ସି. ଜନସାଧାରଣ ଓ ପୂଜା କମିଟିଗୁଡ଼ିକ ପାଇଁ ସୋମବାର ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାନୁସାରେ, ସମସ୍ତ ପୂଜା ଆୟୋଜକ ପୂଜା ମଣ୍ଡପ ନିର୍ମାଣ ପୂର୍ବରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ଆବଶ୍ୟକୀୟ ଅନୁମତି ନେବା ବାଧ୍ୟତାମୂଳକ। ଏହାସହ ଜନସାଧାରଣଙ୍କଠାରୁ ବାଧ୍ୟତାମୂଳକ କିମ୍ବା ଜୋରଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ କଡ଼ା ତାଗିଦ୍ କରାଯାଇଛି।

ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ରାତ୍ରି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର୍ କିମ୍ବା ଡିଜେ ବଜାଇବା ଉପରେ କଟକଣା ଲଗାଯାଇଛି। ସେହିପରି କୌଣସି ସମ୍ବେଦନଶୀଳ ସ୍ଥାନରେ ଉତ୍ତେଜକ କିମ୍ବା ଉଚ୍ଚ ଶବ୍ଦରେ ଗୀତ ନ ବଜାଇବାକୁ କୁହାଯାଇଛି। ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ଶୃଙ୍ଖଳିତ ବ୍ୟବସ୍ଥା ସହ ସୁରକ୍ଷା ଦୃଷ୍ଟିରୁ ସିସିଟିଭି (CCTV) କ୍ୟାମେରା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶୋଭାଯାତ୍ରା, ପୂଜା ମଣ୍ଡପ ଓ ମୂର୍ତ୍ତି ବିସର୍ଜନ ସମୟରେ ମଦ୍ୟପାନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଆଇନ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପାର୍ବଣ ଋତୁକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ପ୍ରଶାସନ ଓ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଗଞ୍ଜାମ ଏସ୍‌ପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Share