କଠୋର କରୋନା ନୀତି ଚାଇନା ପାଇଁ ସୃଷ୍ଟି କରିଛି ବଡ଼ ସମସ୍ୟା, ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି…

ବେଜିଂ,୨୬।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଶିନଜିଆଙ୍ଗ ଅଞ୍ଚଳରେ ଲୋକେ ରାଜରାସ୍ତାରେ ସରକାରଙ୍କ କଠୋର ନୀତିକୁ ନେଇ ପ୍ରଦର୍ଶନ କରିଛନ୍ତି। ଦୁଇଦିନ ତଳେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୦ ଜଣ ଲୋକଙ୍କ ମୃତ୍ୟୁ ପରେ ଲୋକେ ଏଭଳି କରିଛନ୍ତି। ଲକଡାଉନ ଜାରି ହୋଇଥିବାରୁ ଆର୍ପାଟମେଣ୍ଟରେ ଥିବା ଲୋକଙ୍କୁୂ ବାହାରକୁ ଆସିବାକୁ ଦିଆଯାଇ ନଥିଲା। ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ପୋଲିସ ସହ ମଧ୍ୟ ସେମାନଙ୍କର ସଂଘର୍ଷ ହୋଇଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଫୁଟେଜରେ କ୍ରୋଧିତ ଲୋକମାନେ ପୋଲିସ ଗାଡିଗୁଡ଼ିକୁ ଓଲଟାଇ ଦେଉଥିବାର ଦେଖିବାକୁ ମିଳିଛି। ଚାଇନାର ଯେକୌଣସି ସହରରେ ଦୁଇ କିମ୍ବା ଚାରିଟି କରୋନା ମାମଲା ଥିଲେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଯାଉଛି। ଲକଡାଉନ ବିରୋଧରେ ଗୁଆଙ୍ଗୋ ସହରରେ ଲୋକଙ୍କ କ୍ରୋଧ ସୃଷ୍ଟି ହୋଇଛି। ସରକାରଙ୍କ କଠୋର ନୀତି ବିରୁଦ୍ଧରେ ବିଦ୍ରୋହରେ ଗୁଆଙ୍ଗୋଝାଉ ସହରର ଲୋକମାନେ ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଉତ୍ତେଜନା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଦଙ୍ଗା ବିରୋଧୀ ପୋଲିସ ମୁତୟନ କରାଯାଇଛି। ଚାଇନାରେ ଏହିପରି ପ୍ରଦର୍ଶନ ଏକ ବିରଳ ଘଟଣା ଭାବରେ ବିବେଚନା କରାଯାଉଛି। ଯଦିଓ ପରେ ଚାଇନା ସରକାର ସୋସିଆଲ ମିଡିଆରୁ ଏହି ଘଟଣାର ଭିଡିଓ ହଟାଇ ଦେଇଛନ୍ତି, ଶୂନ-କୋଭିଡ ନୀତି ଉପରେ ପ୍ରଶାସନ ପ୍ରବଳ ଚାପରେ ରହିଛି।

ଗତ ୩ ଦିନ ଧରି ଦେଶରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। କୋଭିଡଙ୍କ ବିଷୟରେ ଅନେକ ଗୁଜବ ମଧ୍ୟ ବ୍ୟାପିବାରେ ଲାଗିଛି। କୋଭିଡ ପରୀକ୍ଷଣ କମ୍ପାନୀଗୁଡିକ ସେମାନଙ୍କ ଫଳାଫଳରେ ସଂକ୍ରମଣକୁ ଅତ୍ୟଧିକ ମାତ୍ରାରେ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। କମ୍ପାନୀଗୁଡିକ ଏହା ମାଧ୍ୟମରେ ପରୀକ୍ଷଣର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ଅଧିକ ଅର୍ଥ ଉପାର୍ଜନ ହୋଇପାରିବ। ଦେଶର ଉତ୍ତର ଭାଗରେ ମଧ୍ୟ କରୋନା ସମ୍ବନ୍ଧୀୟ ଗୁଜବ ଯୋଗୁଁ ଚାପ ବଢୁୁଥିବା ଜଣାପଡିଛି। ପରିସ୍ଥିତିକୁ ନେଇ ଭୟଭୀତ ହୋଇ ଲୋକମାନେ ଦେଶୀ ଔଷଧ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏହି ଦେଶୀ ଔଷଧ ସଂକ୍ରମଣକୁ ରୋକିବାରେ ସହାୟକ ହେଉଛି। ଲକଡାଉନ ଅନ୍ତର୍ଗତ ସହରଗୁଡିକରେ ଜିନିଷ ଯୋଗାଣ ମଧ୍ୟ ଅଟକି ଯାଇଛି।

Share