ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ ସାଉଣ୍ଡ କିମ୍ବା ଡିଜେ ବଜାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଡିଜେ ସରଞ୍ଜାମ, ଯନ୍ତ୍ରପାତି ଓ ଗାଡ଼ି ଜବତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି।
ବୁଧବାର ପୁରୁଷୋତ୍ତମପୁର ଥାନା ପରିସରରେ ଆଇଆଇସି କୁଳମଣି ସେଠୀଙ୍କ ପୌରୋହିତ୍ୟରେ ଡିଜେ ସାଉଣ୍ଡ ପରିଚାଳକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏସଡିପିଓ ସୁଜିତ କୁମାର ନାୟକ ଯୋଗଦେଇ ଅଞ୍ଚଳର ସମସ୍ତ ଡିଜେ ସାଉଣ୍ଡ ମାଲିକଙ୍କୁ ଆଇନ ଶୃଙ୍ଖଳା ଓ ନିୟମ ମାନି ସାଉଣ୍ଡ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି।
ବୈଠକରେ ବିଶେଷକରି ଡିଜେରେ ଅତ୍ୟଧିକ ଉଚ୍ଚ ଶବ୍ଦ ଓ ଭାଇବ୍ରେସନ୍ (କମ୍ପନ) ରଖିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଅତ୍ୟଧିକ ଶବ୍ଦ ଓ କମ୍ପନ ଯୋଗୁଁ ବରିଷ୍ଠ ନାଗରିକ, ଶିଶୁ ଏବଂ ହୃଦ୍ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହେଉଥିବାରୁ, ପୋଲିସ ପ୍ରଶାସନ ଏହି କଟକଣାକୁ କଠୋର ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ନିୟମ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୃଷ୍ଟ ସୂଚନା ଦିଆଯାଇଛି।