ଗଞ୍ଜାମ,୨୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାରଠାରୁ ସାନ ବଜାର ପର୍ଯ୍ୟନ୍ତ ରାସ୍ତା ଉପରେ ମାଳ ମାଳ ବୁଲା ଗାଇଗୋରୁ ବୁଲୁଥିବାରୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଭଳି ଏକ ଅଘଟଣରେ ବୁଲା ଗାଇ ସାମ୍ନାକୁ ଚାଲିଆସିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ୱାର୍ଡ ନଂ-୪ ଗୌଡ଼ ସାହିର କପିଳାସ ଗୌଡ଼।
ସୂଚନା ଅନୁଯାୟୀ, କପିଳାସ ଗୌଡ଼ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଗାଇ ତାଙ୍କ ବାଇକ୍ ଆଗକୁ ଚାଲିଆସିଥିଲା। ଫଳରେ ସେ ବାଇକ୍ ଉପରୁ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଞ୍ଜାମ ସହରର ଯୁବ ସ୍ୱେଚ୍ଛାସେବୀ ତଥା ଏନ୍ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ତୁରନ୍ତ ପପୁ ପଣ୍ଡା, ଉମାଶଙ୍କର ମହାନ୍ତି, ପ୍ରଭାତ କୁମାର ସାହୁ ଓ ବିଭୂତି ପଲାଇଙ୍କ ସହାୟତାରେ ନିଜ ସ୍କର୍ପିଓ ଗାଡ଼ିରେ କପିଳାସଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଡ. ମିର୍ଜା ଗୁରୁତର କପିଳାସଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। କପିଳାସଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଥିବା ଡ. ମିର୍ଜା ସୂଚନା ଦେଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବ୍ରହ୍ମପୁର ମେଡିକାଲ ନେବା ସମୟରେ ଆଶୁତୋଷ ଦାସ, ଅରୁଣ ଗୌଡ଼, ସାଧୁ ଗୌଡ଼, ବୁଲୁ ଗୌଡ଼ ଓ ସଚ୍ଚିଦାନନ୍ଦ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟପକ୍ଷରେ, ସହରରେ ବୁଲା ଗାଇଗୋରୁଙ୍କ ଉପଦ୍ରବ ରୋକିବା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।