ଗଞ୍ଜାମ, ୨୮।୧୧ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ବଜାରଠାରୁ ସାନବଜାର ପର୍ଯ୍ୟନ୍ତ ରାସ୍ତାରେ ମାଳମାଳ ବୁଲା ଗାଈଗୋରୁ ଦେଖିବାକୁ ମିଳୁଛନ୍ତି। ଏହା ଯୋଗୁଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବୁଲା ଗାଈଗୋରୁଙ୍କ ଯୋଗୁଁ ଜନସାଧାରଣ ଓ ଯାନବାହନ ଚାଳକମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ୱାର୍ଡ ନଂ-୪ ଗୌଡ଼ ସାହିର କପିଳାସ ଗୌଡ଼ ନାମକ ଜଣେ ଯୁବକ ନିଜ ବାଇକ୍ରେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଗାଈ ବାଇକ୍ ସମ୍ମୁଖକୁ ଚାଲି ଆସିଥିଲା। ଫଳରେ ବାଇକ୍ ଆରୋହୀ କପିଳାସ ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇଯାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଞ୍ଜାମ ସହରର ଯୁବ ସ୍ୱେଚ୍ଛାସେବୀ ତଥା ଏନ୍ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ନିଜ ସ୍କର୍ପିଓ ଗାଡ଼ିରେ ପପୁ ପଣ୍ଡା, ଉମାଶଙ୍କର ମହାନ୍ତି, ପ୍ରଭାତ କୁମାର ସାହୁ ଓ ବିଭୂତି ପଲାଇଙ୍କ ସହଯୋଗରେ ଆହତ କପିଳାସଙ୍କୁ ପ୍ରଥମେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ମେଡିକାଲ ଅଫିସର ଡାକ୍ତର ମିର୍ଜା ତାଙ୍କର ଚିକିତ୍ସା କରିଥିଲେ। କପିଳାସଙ୍କ ମୁହଁ, ଛାତି ଓ ହାତରେ ଆଘାତ ଲାଗିଥିବା ଡାକ୍ତର ମିର୍ଜା ସୂଚନା ଦେଇଥିଲେ। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ସମୟରେ ଆଶୁତୋଷ ଦାସ, ଅରୁଣ ଗୌଡ଼, ସାଧୁ ଗୌଡ଼, ବୁଲୁ ଗୌଡ଼ ଓ ସଚ୍ଚିଦାନନ୍ଦ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।
ସହରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏନ୍ଏସି ପ୍ରଶାସନ ଏ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।