ବାମପନ୍ଥୀ ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରଣନୀତି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ରାଜ୍ୟରେ ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଆରମ୍ଭ ହୋଇଛି ନୂଆ ରଣନୀତି। ଏନେଇ ବିଏସ୍‌ଏଫ୍‌ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ବୁଧବାର ଓଡ଼ିଶା ଗସ୍ତରେ ଆସି ପୋଲିସ ଡିଜି ଅଭୟଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ୍‌ରେ ଅନୁଷ୍ଠିତ ବୈଠକରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଆଗାମୀ ରଣନୀତିକୁ ସଫଳ କରିବା ପାଉଁ ଦୃଢ଼ ସଂକଳ୍ପ ନେବାକୁ ବିଏସ୍‌ଏଫ୍‌ ଡିଜି ଆସ୍ଥାନା ଆହ୍ବାନ ଦେଇଛନ୍ତି।
ଡିଜିିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ, ଇଣ୍ଟେଲିଜେନ୍ସି ବିଏସ୍‌ଏଫ୍‌ର ଅଧିକାରୀମାନେ ରାଜ୍ୟକୁ ମାଓବାଦୀମୁକ୍ତ କରିବା ନେଇ ଦୃଢ ସଂକଳ୍ପ ନେଇଥିଲେ। ଆସ୍ଥାନା ବାମପନ୍ଥୀ ଆତଙ୍କବାଦ ବା ମାଓବାଦୀ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଦେବାନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଡିଜିପି ଓ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ରାଜ୍ୟ ପୋଲିସ ଓ ବିଏସ୍‌ଏଫ୍‌ ଅଧିକାରୀମାନେ ରାଜ୍ୟରେ ବର୍ତ୍ତମାନର ବାମପନ୍ଥୀ ମାଓବାଦୀଙ୍କ ଉପସ୍ଥିତି ଓ ପରିସ୍ଥିତି ସମ୍ବନ୍ଧୀୟ ପ୍ରସଙ୍ଗ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ବିଶେଷକରି ଲାଲ୍‌ଗଡ଼ରେ ନିୟୋଜିତ ବିଏସ୍‌ଏଫ୍‌ କମ୍ପାନୀଗୁଡିକ କିପରି ବିପଦକୁ ମୁକାବିଲା କରିବା ଦିଗରେ ସଫଳ ରଣନୀତିକୁ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଉପରେ ଆଲୋଚନାରେ ଫୋକସ୍‌ ରହିଥିଲା। ମାଓବାଦୀଙ୍କ ଉପସ୍ଥିତି ଓ ବେଶ୍‌ ପ୍ରଭାବ ରହିଥିବା ଅଞ୍ଚଳରେ ବିଏସ୍‌ଏଫ ଯବାନଙ୍କ ପୁନଃ ମୁତୟନକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ରାଜ୍ୟ ପୋଲିସ ଓ ବିଏସ୍‌ଏଫ୍‌ ମଧ୍ୟରେ ଉଚିତ ସମନ୍ବୟରେ ଲାଲ୍‌ଗଡ଼କୁ ମାଓବାଦୀମୁକ୍ତ କରିବାର ଗୁରୁଦାୟିତ୍ୱକୁ ଠିକ ଭାବେ ତୁଲାଇବାକୁ ଅଧିକାରୀମାନେ ଦୃଢ ସଂକଳ୍ପ ନେଇଛନ୍ତି।