Posted inଫୁରସତ

ଅନନ୍ୟା ସୁଧା

୧୯୬୮ ମସିହାରେ ଯେତେବେଳେ ସେ ଇଞ୍ଜିନିୟରିଂ କଲେଜରେ ଆଡ୍‌ମିଶନ ନିଅନ୍ତି, ତାଙ୍କ କ୍ଲାସ୍‌ରେ ୧୪୯ ଜଣ ପୁଅଙ୍କ ଭିତରେ ସେ ଥା’ନ୍ତି ଏକୁଟିଆ ଝିଅ। ଆଉ ପୂରା ବିଶ୍ବବିଦ୍ୟାଳୟରେ ୫୯୯ ଜଣ ପୁଅଙ୍କ ଭିତରେ ସେ ଏକମାତ୍ର ଝିଅ। ଯେଉଁ ସମୟରେ ଇଞ୍ଜିନିୟରିଂ କେବଳ ପୁଅଙ୍କ ପାଠ ବୋଲି କୁହାଯାଉଥିଲା ସେ ସମୟରେ ସେ ଇଞ୍ଜିନିୟରିଂ ପଢିଲେ ଆଉ ଟପ୍ପର ବି ହେଲେ। ଇଏ ହେଲେ ପଦ୍ମବିଭୂଷଣପ୍ରାପ୍ତ ସମାଜସେବୀ, ଲେଖିକା ତଥା ଇନ୍‌ଫୋସିସ୍‌ ଫାଉଣ୍ଡେଶନର ଚେୟାରପର୍ସନ ସୁଧା ମୂର୍ତ୍ତି। ସୁଧା ମୂର୍ତ୍ତିଙ୍କ ଜନ୍ମ ୧୯ ଅଗଷ୍ଟ ୧୯୫୦ ମସିହା କର୍ନାଟକର ଶିଗାଓଁରେ। ପିତା ଆର.ଏଚ୍‌ କୁଲକର୍ନି ଡାକ୍ତର ଥିବାବେଳେ ମା’ ବିମଳା କୁଲକର୍ନି ଥିଲେ ଶିକ୍ଷୟିତ୍ରୀ। ମାତାପିତା ଓ ଅଜା ଆଈଙ୍କ ଦ୍ବାରା ସେ ବଡ଼ ହୋଇଥିଲେ। ପିଲାବେଳେ ଖୁବ୍‌ ମେଧାବୀ ଥିବା ସୁଧା କୁହନ୍ତି, ‘ଯେତେବେଳେ ମୁଁ ବି.ଭି.ବି. କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ (ଯାହା ବର୍ତ୍ତମାନ କେ.ଏଲ୍‌.ଇ. ଟେକ୍ନୋଲୋଜିକାଲ ୟୁନିର୍ଭସିଟି) ଆଡ୍‌ମିଶନ ନେଲି, ସେତେବେଳେ ବାପାଙ୍କୁ ସମସ୍ତେ କହିଲେ ଆପଣ କେମିତି ଜଣେ ବାପା ଯେ ଝିଅକୁ ଇଞ୍ଜିନିୟରିଂ ପଢ଼େଇବାକୁ ରାଜି ହୋଇଗଲେ? ଆଉ ଦୁଇଟି ଝିଅ ବି ଅଛନ୍ତି କିଏ ସେମାନଙ୍କୁ ବାହାହେବ? ସେପଟେ କଲେଜ ଅଧ୍ୟକ୍ଷ ମଧ୍ୟ ବାପାଙ୍କୁ ଡାକି କହିଲେ, ଝିଅକୁ ଯଦି ଆପଣ ଇଞ୍ଜିନିୟରିଂ ପଢେଇବାକୁ ଚାହୁଁଛନ୍ତି ତା’ହେଲେ ଆମର ତିନୋଟି ସର୍ତ୍ତ ଆପଣଙ୍କ ଝିଅକୁ ମାନିବାକୁ ପଡ଼ିବ। ପ୍ରଥମରେ ଶାଢ଼ି ପିନ୍ଧି କଲେଜ ଆସିବ। ସେତେବେଳେ ମୋର ବୟସ ଷୋହଳ କି ସତର। ଦ୍ବିତୀୟ ସର୍ତ୍ତ ହେଲା କଲେଜରେ କେବେ ପୁଅମାନଙ୍କ ସହ କଥା ହେବନି। ତୃତୀୟରେ କେବେ କଲେଜ କ୍ୟାଣ୍ଟିନକୁ ଯିବନାହିଁ କାରଣ କ୍ୟାଣ୍ଟିନରେ ସବୁବେଳେ ପୁଅମାନେ ଥାଆନ୍ତି। ମୁଁ ଏ ତିନୋଟିଯାକ ସର୍ତ୍ତରେ ରାଜିହୋଇଗଲି। କଲେଜ ଯିବାପରେ ଜାଣିଲି ଏଠାରେ ଝିଅଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ ବି ନାହିଁ। ନିରାଶ ହେବା ବଦଳରେ ମୋ ଭିତରେ ଜିଦ୍‌ ଆସିଲା ଯେମିତି ବି ହେଉ ଇଞ୍ଜିନିୟରିଂ ପଢ଼ିବି। ଗୋଟିଏ ଦିନ ବି ମୁଁ କଲେଜ ବନ୍ଦ କରିନି। ପ୍ରଥମ ବର୍ଷ ଯେତେବେଳେ କଲେଜ ଟପ୍ପର ହେଲି ଜମା କଥାହେଉ ନ ଥିବା ପୁଅମାନେ ଆସି ନୋଟ୍‌ସ ମାଗିଥିଲେ। ଏଠାରୁ ବି.ଟେକ୍‌ କରିବାପରେ ମୁଁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ୧୯୭୪ ମସିହାରେ ଏମ.ଟେକ୍‌ କରିବା ସମୟରେ ଆମେରିକାରେ ପିଏଚ୍‌.ଡି କରିବା ପାଇଁ ସ୍କଲାରଶିପ ମିଳିଥିଲା। କଲେଜରୁ ଯେତେବେଳେ ହଷ୍ଟେଲକୁ ଆସିଲି ଦେଖିଲି ନୋଟିସ୍‌ ବୋର୍ଡରେ ଏକ ଚିଠି ଥିଲା। ଟେଲ୍‌କୋ ଜାମ୍‌ସେଦ୍‌ପୁର ଯୁବ ମେଧାବୀ ଇଞ୍ଜିନିୟର ଆବଶ୍ୟକ ବୋଲି ଚିଠି କରିଥିଲା, ଯେଉଁଥିରେ ଝିଅମାନେ ଆବେଦନ କରିପାରିବେ ନାହିଁ ବୋଲି ଲେଖାଥିଲା। ସେଦିନ ନିଷ୍ପତ୍ତି ନେଲି ଏହା ଉପରେ ଜେ.ଆର.ଡି ଟାଟାଙ୍କୁ ଚିଠି ଲେଖିବି। ସେତେବେଳେ ପ୍ରତିବର୍ଷ ମାର୍ଚ୍ଚ ୧୫ ତାରିଖରେ ଜେ.ଆର.ଡି. ଟାଟା ଆମ କଲେଜକୁ ଆସନ୍ତି ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ। ଚିଠିରେ ଲେଖିଲି ‘ଯଦି ଆପଣ ଆପଣଙ୍କ କମ୍ପାନୀରେ ମହିଳାମାନଙ୍କୁ ସମାନ ଅଧିକାର ଦେବେନାହିଁ, ଦେଶ କେମିତି ଅଗ୍ରଗତି କରିବ? ଆପଣଙ୍କ କମ୍ପାନୀ କେମିତି ଏ ଭୁଲ୍‌ ନିଷ୍ପତ୍ତି ନେଲା?’ ଟାଟାଙ୍କ ଠିକଣା ତ ନ ଥାଏ, ଜେ.ଆର.ଡି. ଟାଟା, ଟେଲ୍‌କୋ ବମ୍ବେ ଲେଖି ପୋଷ୍ଟକାର୍ଡ ପଠେଇଦେଲି।

ଚିଠି ପଢ଼ି ଜେ.ଆର.ଡି. ଟାଟା ଅଧିକାରୀମାନଙ୍କୁ ଡାକି କହିଲେ ଝିଅଟି ନ୍ୟାୟ ଚାହୁଁଛି। ତା’ପରେ ହଷ୍ଟେଲ ଠିକଣାରେ ମୋ ପାଖକୁ ପ୍ରଥମ ଶ୍ରେଣୀ ଟ୍ରେନ୍‌ ଟିକେଟ ସହ ଟେଲିଗ୍ରାମ ଆସି ପହଞ୍ଚିଲା। ମୁଁ ଟେଲ୍‌କୋ ଗଲି ଇଣ୍ଟରଭ୍ୟୁ ପାଇଁ ଆଉ ସବୁପ୍ରକାର ଟେକ୍ନିକାଲ ପ୍ରଶ୍ନର ଉତ୍ତର ମୁଁ ଠିକ୍‌ ଦେଇଥିଲି। ହେଲେ ଟେଲ୍‌କୋ ତରଫରୁ ମତେ କୁହାଗଲା,‘ଏ କଥା ସତ ଆପଣ ଜଣେ ବହୁତ ଭଲ ଇଞ୍ଜିନିୟର। ଆମର ଗୋଟେ ଅଫିସ ପୁଣେ ଓ ଆଉଗୋଟେ ଅଫିସ ଜାମ୍‌ସେଦ୍‌ପୁରରେ। ଏଠାରେ ସିଫ୍ଟରେ କାମ ହୁଏ। ଆଉ ଜଣେ ବି ମହିଳା କର୍ମଚାରୀ ଆମର ନାହାନ୍ତି। ଆପଣଙ୍କ ପାଇଁ ଭଲହେବ ପିଏଚ୍‌.ଡି. କରିବା।’ ମୁଁ କିନ୍ତୁ ଭାବିଲି କେବେନା କେବେ ତ ପୁଣି ଝିଅମାନେ କାମ କରିବେ, ଆରମ୍ଭ ମୋ’ ଠାରୁ କାହିଁକି ନ ହେବ? ଏହାପରେ ଟେଲ୍‌କୋର ପ୍ରଥମ ମହିଳା ଇଞ୍ଜିନିୟର ଭାବରେ ପୁଣେରେ କାମ ଆରମ୍ଭ କଲି। ପରେ ମୁମ୍ବାଇ ଓ ଜାମ୍‌ସେଦ୍‌ପୁରରେ ମଧ୍ୟ ଡେଭେଲପମେଣ୍ଟ ଇଞ୍ଜିନିୟର ଭାବରେ କାମ କଲି। ଏବଂ ପରବର୍ତ୍ତୀ ସମୟରେ ଓ୍ବଲଚାନ୍ଦ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିରେ ସିନିୟର ସିଷ୍ଟମ ଆନାଲିଷ୍ଟ ଭାବରେ କାମ କଲି।’

ଟେଲ୍‌କୋରେ ଇଞ୍ଜିନିୟର ଥିବା ସମୟରେ ୧୯୭୮ ମସିହାରେ ସୁଧାଙ୍କର ବିବାହ ହୁଏ ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ସହିତ। ଏହା ଏକ ପ୍ରେମବିବାହ। ବିବାହ ବେଳେ ଆଇଆଇଟି କାନପୁରରୁ ଶିକ୍ଷା ଗ୍ରହଣ କରିଥିବା ନାରାୟଣ ମୂର୍ତ୍ତି କିନ୍ତୁ କୌଣସି ଚାକିରି କରୁ ନ ଥିଲେ। ସୁଧାଙ୍କ ବାପା ସୁଧାଙ୍କୁ ପଚାରିଥିଲେ,‘ଯେତେବେଳେ ମତେ ସମସ୍ତେ ପଚାରିବେ ସୁଧାର ସ୍ବାମୀ କ’ଣ କରେ ବୋଲି କ’ଣ କହିବି? ସୁଧା କହିଥିଲେ କହିଦେବ ‘ସୁଧାର ସ୍ବାମୀ’ ବୋଲି।

କିନ୍ତୁ ଏହାପରେ ବଦଳି ଯାଇଥିଲା ଇତିହାସର ଫର୍ଦ୍ଦ। ଭାରତରେ ସଫ୍ଟଓ୍ବେରର ଆବଶ୍ୟକତାକୁ ଲକ୍ଷ୍ୟ ରଖି ନାରାୟଣ ମୂର୍ତ୍ତି ଚାହୁଁଥାନ୍ତି ବ୍ୟବସାୟ ଆରମ୍ଭ କରିବାକୁ। କିନ୍ତୁ ପାଖରେ ଏତେ ପଇସା ନ ଥାଏ। ସୁଧା ତାଙ୍କ ଘରଖର୍ଚ୍ଚରୁ କାଟି ରଖିଥିବା ୧୦୨୫୦ ଟଙ୍କାରୁ ୧୦,୦୦୦ ଟଙ୍କା ଦିଅନ୍ତି ସ୍ବାମୀଙ୍କୁ। ୧୯୯୬ ମସିହାରେ ନାରାୟଣ ମୂର୍ତ୍ତି ପ୍ରତିଷ୍ଠା କରନ୍ତି ଇନ୍‌ଫୋସିସ୍‌। ଯାହାର ଚେୟାରପର୍ସନ ଅଛନ୍ତି ସୁଧା ମୂର୍ତ୍ତି। ଏହାଛଡା ସେ ପି.ଜି. ସେଣ୍ଟର ଅଫ ବାଙ୍ଗାଲୋର ବିଶ୍ବବିଦ୍ୟାଳୟରେ ଭିଜିଟିଙ୍ଗ ପ୍ରଫେସର ଥିବାବେଳେ ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରୁଛନ୍ତି। ଏହାବାଦ୍‌ ସେ ଜଣେ ବିଶିଷ୍ଟ ଲେଖିକା।

ବିଶେଷକରି ପିଲାଙ୍କ ପାଇଁ ଲେଖୁଥିବା ସୁଧା ଉପନ୍ୟାସ, ଭ୍ରମଣ କାହାଣୀ, ପ୍ରଯୁକ୍ତି ଆଧାରିତ ଲେଖା ଓ ଜୀବନୀ ବି ଲେଖନ୍ତି। ତେବେ ପିଲାଙ୍କ ପାଇଁ ଲେଖା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଏସବୁ ପରେ ସାରା ଦୁନିଆ ଯେଉଁଥିପାଇଁ ତାଙ୍କୁ ସମ୍ମାନ ଦିଏ, ତାହା ହେଲା ତାଙ୍କର ସମାଜସେବା। ନିଜ ରୋଜଗାରର କିଛି ଅଂଶ ସେ ଜନମଙ୍ଗଳ କାର୍ଯ୍ୟରେ ବିନିଯୋଗ କରନ୍ତି। କେତୋଟି ଅନାଥାଶ୍ରମ ପ୍ରତିଷ୍ଠା କରିଥିବା ସୁଧା ଗ୍ରାମୀଣ ବିକାଶ ଦିଗରେ କାର୍ଯ୍ୟ କରିବା ସହିତ କର୍ନାଟକର ସମସ୍ତ ସରକାରୀ ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇଦେବା ସହ ପାଠାଗାରର ସୁବିଧା କରିଛନ୍ତି, ଯେଉଁଥିପାଇଁ ୨୦୦୬ ମସିହାରେ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଓ ୨୦୨୩ ମସିହାରେ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ସମ୍ମାନରେ ସମ୍ମାନିତ କରାଯାଇଛି। ସୁଧାଙ୍କର ପରିବାର କହିଲେ ପୁଅ ରୋହନ ମୂର୍ତ୍ତି ଓ ଝିଅ ଅକ୍ଷତା ମୂର୍ତ୍ତି। ସୁଧାଙ୍କର ଜ୍ବାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ଗୋଟିଏ ପ୍ରତିଷ୍ଠିତ ପରିବାର ସହ ବହୁ ସମ୍ପତ୍ତିର ଅଧିକାରୀ ସୁଧା ମୂର୍ତ୍ତିଙ୍କ ଜୀବନଶୈଳୀ କିନ୍ତୁ ଅତି ସାଧାରଣ, ଯାହା ତାଙ୍କୁ ଅନ୍ୟମାନଙ୍କ ପାଖରେ କରିଛି ଅନନ୍ୟ।

-ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri