ସାରା ରାଜ୍ୟରେ ଝଡ଼ବର୍ଷା

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଝଡ଼ ବର୍ଷା ହୋଇଛି। ଏହାଦ୍ୱାରା ଜନଜୀବନ ବିଶେଷଭାବେ ପ୍ରଭାବିତ ହୋଇଛି। ଏପରି କି କିଛି ସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ସର୍ବାଧିକ ୩୨.୮ ମିଲିମିଟର ବର୍ଷା ହୋଇଥିବାବେଳେ ପାରାଦୀପରେ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭଦ୍ରକ ଓ କଟକରେ ପ୍ରବଳ ବର୍ଷା ହୋଇ ରାସ୍ତା ଉପରେ ପାଣି ଲହଡ଼ି ମାରିଲା ଭଳି ଦେଖିବାକୁ ମିଳିଛି। ଚାନ୍ଦବାଲି ୨୭, ଗୋପାଳପୁର ୧୯, ବାଲେଶ୍ୱର ୪, ପୁରୀ ୪, ଅନୁଗୋଳ ୭, ବାରିପଦା ୨.୪, ଝାରସୁଗୁଡା ୪, ତାଳଚେର ୫, ଫୁଲବାଣୀ ୪.୨, ଦାରିଙ୍ଗବାଡ଼ି ୧୨, ନୟାଗଡ଼ ୫.୧, ଛତ୍ରପୁରରେ ୧୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ଲଗାତର ଝଡ଼ବର୍ଷା ଲାଗି ରହୁଥିବାରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଯଥେଷ୍ଟ କମିଛି। ଏପରି କି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହୁଛି। ଆସନ୍ତା ଶନିବାର ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡ଼ା ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।