ବେଆଇନ ଗଞ୍ଜେଇ ଚାଷ ବନ୍ଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ବେଆଇନ ଗଞ୍ଜେଇ ଚାଷ ପ୍ରତିରୋଧ ସମ୍ବନ୍ଧିତ ଆଇନଗତ ଏବଂ କାର୍ଯ୍ୟାନ୍ବୟନ ବିଷୟ ଆଲୋଚନା ପାଇଁ ତଥ୍ୟ ରଖିଥିଲେ। ଜିଲାୱାରି ସ୍ଥିତିର ସମୀକ୍ଷାକରି ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପୋଲିସ, ଅବକାରୀ ଏବଂ ରାଜସ୍ବ ବିଭାଗ ଅଧିକାରୀମାନେ କ୍ଷେତ୍ରସ୍ତରରେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ସବୁ ପରିବାର ଏ ବେଆଇନ୍‌ କାର୍ଯ୍ୟରେ ସମ୍ପୃକ୍ତ ନୁହନ୍ତି। ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଗଞ୍ଜେଇ ଚାଷ ଅଞ୍ଚଳ ଚିହ୍ନଟ କରିବା ନିମନ୍ତେ ସାଟେଲାଇଟ୍‌ ଏବଂ ଡ୍ରୋନ୍‌ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଗଞ୍ଜେଇ ଚାଷ ଉପରେ ର୍ନିଭର କରି ଚଳୁଥିବା ଗରିବ ପରିବାରଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ବିକଳ୍ପ ଜିବୀକା ର୍ନିବାହ ପନ୍ଥା ଓ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜେଇ ଚାଷ ବିରୋଧରେ ଜନସଚେତନତା ଏବଂ ଜନମତ ସୃଷ୍ଟି ଉପରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି।