ଚେନ୍ନାଇ,୧୬।୧୧: ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ଡିଏମ୍କେ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ । ତାଙ୍କୁ ଏବେ ବି ଲୋକେ ‘ମୁଖ୍ୟମନ୍ତ୍ରୀ’ ବୋଲି ସମ୍ବୋଧନ କରୁଥିବାରୁ ଏହା ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ଖୁବ୍ଶୀଘ୍ର ଡିଏମ୍କେ ପୁଣି କ୍ଷମତାକୁ ଫେରିବ ବୋଲି ଦୃଢ଼ୋକ୍ତି କରିଛନ୍ତି । କେ.ଏନ୍. ନେହେରୁଙ୍କ ପରିବାରର ଏକ ବିବାହ ଉତ୍ସବରେ ଯୋଗଦେଇ ଷ୍ଟାଲିନ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ନେହେରୁ ପରିବାରର ପ୍ରଶଂସା କରିଥିଲେ ।
ଷ୍ଟାଲିନ କହିଥିଲେ, ନେହେରୁ ପରିବାରର ଏହି ବିବାହ ଉତ୍ସବରେ ଯୋଗଦେଇ ସେ ଖୁସି ଅନୁଭବ କରୁଛନ୍ତି । ଏହି ବିବାହ ତିରୁଚିରାପଲ୍ଲୀ ଜିଲାର ଜଣେ ସମର୍ପିତ ଦଳୀୟ କର୍ମୀ ଓ ଜଣେ ଉତ୍ସାହୀ ପଦାଧିକାରୀଙ୍କୁ ଏକାଠି କରିଛି । ଏହି ଜିଲାକୁ ଡିଏମ୍କେର ଏକ ମଜଭୁତ ଗଡ଼ରେ ପରିଣତ କରିବାର କ୍ଷମତା ସେମାନଙ୍କର ରହିଛି ବୋଲି ସେ କହିଥିଲେ। କେ.ଏନ୍. ନେହେରୁଙ୍କ ପରିବାର ସହ ନିଜର ସମ୍ପର୍କକୁ ନେଇ ଷ୍ଟାଲିନ କହିଥିଲେ, ଏହି ବିବାହ ଉତ୍ସବ ତାଙ୍କୁ ନିଜ ପରିବାରର ଉତ୍ସବ ଭଳି ଲାଗୁଛି । ସେ ଗର୍ବର ସହ କହିଥିଲେ ଯେ, ଡିଏମ୍କେ କ୍ଷମତାରେ ନଥିଲେ ମଧ୍ୟ କିଛି ଲୋକ ନେହେରୁଙ୍କୁ ଏବେ ବି ମନ୍ତ୍ରୀ ବୋଲି କହୁଛନ୍ତି। ସେହିପରି କିଛି ଲୋକ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରୁଛନ୍ତି। ସେମାନେ କହୁଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦରେ ଥାଆନ୍ତୁ କି ନଥାଆନ୍ତୁ, ସେ ସବୁବେଳେ ମୁଖ୍ୟମନ୍ତ୍ରୀ ରହିବେ।
ବର୍ତ୍ତମାନର ସରକାରର କାର୍ଯ୍ୟଶୈଳୀକୁ ନେଇ ଷ୍ଟାଲିନ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ବର୍ତ୍ତମାନର ସରକାରର କାର୍ଯ୍ୟକଳାପ ଅତ୍ୟନ୍ତ ଖରାପ । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଡାକିବା ବନ୍ଦ କରିବାକୁ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏହାସହ ସେ ଦୃଢ଼ ଆତ୍ମବିଶ୍ୱାସର ସହ କହିଥିଲେ ଯେ, ଡିଏମ୍କେ ସରକାର ଖୁବ୍ଶୀଘ୍ର ପୁଣି କ୍ଷମତାକୁ ଫେରିବ । ଷ୍ଟାଲିନଙ୍କ ଏହି ବୟାନକୁ ତାମିଲନାଡୁ ରାଜନୀତିରେ ଆଗାମୀ ଦିନର ରାଜନୈତିକ ଲଢ଼େଇ ସହ ଯୋଡ଼ି ଦେଖାଯାଉଛି ।