ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା: ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ପ୍ରସ୍ତୁତ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର। ଅର୍ଥାତ୍‌ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ। ୧୯୪୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରୁଛି ଜଳ ସମ୍ପଦ ବିଭାଗ। ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୩୮୦ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଧ ବନ୍ଧାଯିବ। ଏହା ଉପରେ ଜାଲ ପକାଯାଇ ପବନ ରୋକିବାକୁ ଗଛ ଲଗାଯିବ। ଏହା ପୂର୍ବରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବିଶ୍ୱବ୍ୟାଙ୍କ ସହାୟତାରେ ୨୦୧୩-୧୬ ମଧ୍ୟରେ ୫୨ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସୁଦୃଢ଼ୀକରଣ କରାଯାଇଥିଲା।

ବାତ୍ୟା ପରେ ବି ଏହି ପଥର ବନ୍ଧ ସୁରକ୍ଷିତ ରହିଛି। ଏଥିପାଇଁ ୧୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ପରେ ୧୬୮୦ କିମି ଲୁଣାବନ୍ଧକୁ ସୁଦୃଢ଼କରଣ କରାଯିବ। ଏଥିପାଇଁ ୬ରୁ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।