ଶବ୍ଦରେ ପାକସ୍ଥଳୀ, ଚିତ୍ରରେ ବୃକ୍‌କ

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ସେହି ବହିରେ ଆଉ ଏକ ତ୍ରୁଟି ଦୃଷ୍ଟିଗୋଚର ହୋଇଛି। ଏଥିରେ ପାକସ୍ଥଳୀ ଲେଖାଯାଇଥିବା ବେଳେ ଚିତ୍ରରେ ‘କିଡ୍‌ନୀ’ ବା ‘ବୃକ୍‌କ’ ସ୍ଥାନ ପାଇଛି। ବିଭାଗର ଏଭଳି ତ୍ରୁଟିକୁ ନେଇ ଅଭିଭାବକଙ୍କ ମହଲରେ ପୁଣି ଅସନ୍ତୋଷ ଦେଖାଯାଇଛି। ସୂଚନାଯୋଗ୍ୟ, ଏହି ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରିବା ସହିତ ଚିତ୍ରରେ କମ୍ପାନୀ ବ୍ରାଣ୍ଡ୍‌କୁ ପ୍ରଚାର କରାଯାଇଛି। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ସୋମବାର ଓସେପା ଯୁଗ୍ମ ନିର୍ଦ୍ଦେଶିକା ଅମିତା ପଟ୍ଟନାୟକ କହିଛନ୍ତି, କୌଣସି କମ୍ପାନୀର ବ୍ରାଣ୍ଡ୍‌କୁ ଏଠାରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କରାଯାଇନାହିଁ। ତାହା କେବଳ ପିଲାମାନେ ଫଟୋ ଦେଖି ସହଜରେ ଜାଣିପାରିବେ ବୋଲି ଦିଆଯାଇଛି। କାରଣ ସେସବୁ ଖାଦ୍ୟ ତାଙ୍କ ଘରକୁ ଯାଉଥିବ, ସେମାନେ ତା’ର ନାମ ଜାଣିଥିବେ। ତେଣୁ ବହିରେ ପିଲାମାନେ ନ ପଢ଼ି କେବଳ ଫଟୋ ଦେଖି କହିପାରିବେ। ତେବେ ଏ ନେଇ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯିବ। ଅନୁରୂପ ଭାବେ ସେହି ପୁସ୍ତକରେ ଦେଖାଯାଇଥିବା ଆଉ ଏକ ତ୍ରୁଟି ସମ୍ପର୍କରେ ସେ କହିଛନ୍ତି, ପାକସ୍ଥଳୀ ଲେଖାଯାଇଥିବା ବେଳେ କିଡ୍‌ନୀର ଫଟୋ ଦେବା ଗୁରୁତର ଭୁଲ। ଏମିତି ତ୍ରୁଟି ହେବା ଉଚିତ ନୁହେଁ ବୋଲି ଅମିତା କହିଛନ୍ତି।