ଏବେ ବି ସହାୟତା ଅପେକ୍ଷାରେ ବିପନ୍ନ

ପୁରୀ ଅଫିସ,୧୩।୧୦:ଓଡ଼ିଶା ପାଇଁ ଅକ୍ଟୋବର ଏବେ ବାତ୍ୟା ମାସ ଭାବେ ଜଣା। ଓଡ଼ିଶାକୁ ଆସୁଥିବା ବାତ୍ୟାର ଅଧିକାଂଶ ପୂର୍ବ ଉପକୂଳର ପୁରୀ ସହରକୁ ଅଳ୍ପବହୁତ ପ୍ରଭାବିତ କରେ। ଏହି ଅକ୍ଟୋବରରେ ହିଁ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍‌, ତିତିଲି ଓ ହୁଡ୍‌ହୁଡ୍‌ ଇତ୍ୟାଦି ବାତ୍ୟା ହୋଇଛି। ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ୨ଟି ଯାକ ବାତ୍ୟାକୁ ୮ ବର୍ଷ ପୂରିଛି। ପୁରୀ ସହରର ଆର୍ଥିକ ମେରୁଦଣ୍ଡକୁ ଏହି ଦୁଇ ବାତ୍ୟା ପ୍ରଭାବିତ କରି ଚାଲିଯାଇଥିବା ବେଳେ ଏହାର ପଦଚିହ୍ନ ଏବେ ମଧ୍ୟ ଜଳଜଳ ହୋଇ ଦିଶେ। ଫଳରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବି ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି। ନାରିକେଳ ଚାଷ ଓ ବିକ୍ରି ପାଇଁ ସାରା ରାଜ୍ୟରେ ଜଣାଶୁଣା ସାକ୍ଷୀଗୋପାଳ ପୁରୀ ଜିଲାରେ ଅବସ୍ଥିତ। ଫାଇଲିନ ଭଳି ବାତ୍ୟା ଏଭଳି ଚାଷ ଓ ଏହାର ଚାଷୀଙ୍କୁ ବ୍ୟାପକ ପ୍ରଭାବିତ କରି ଛାଡ଼ିଛି। ପରେ ସରକାରଙ୍କ ତରଫରୁ କ୍ଷତିପୂରଣ ମିଳିଥିଲେ ଗଛକୁ ପୁଣି ଥରେ ବଡ଼ କରି ଚାଷ ଉପଯୋଗୀ କରିବା ପାଇଁ ଯେଉଁ ସମୟ ଦରକାର ତାହା କେହି ଦେଇପାରି ନ ଥିଲେ ବୋଲି ନଡ଼ିଆ ଚାଷୀ ଆଶୁତୋଷ ମିଶ୍ର କହିଛନ୍ତି।
ପରେ ନଡ଼ିଆ ଚାଷକୁ ନେଇ ଚାଷୀମାନେ ଏକରକମର ନୈରାଶ୍ୟଜନକ ସ୍ଥିତିକୁ ଚାଲି ଆସିଥିଲେ। ସେହିଭଳି ସରକାରୀ ସ୍ତରରେ ନଡ଼ିଆ ଚାଷକୁ ବାତ୍ୟା ପରେ ପ୍ରୋତ୍ସାହନ ମିଳୁଥିଲେ ମଧ୍ୟ ଏହା ଏକ ସମୟସାପେକ୍ଷ ଚାଷ ହୋଇଥିବା ହେତୁ ଚାଷୀ ମେରୁଦଣ୍ଡ ସମ୍ଭାଳିବାକୁ ସମୟ ଲାଗେ। ଅନ୍ୟପକ୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍‌ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଅସ୍ତରଙ୍ଗ ଏହି ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ। ପୁରୀ ସହରରେ ୧ ଲକ୍ଷ ପାଖାପାଖି ଲୋକଙ୍କୁ ସେତେବେଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଧିକାଂଶ ଲୋକେ ବାତ୍ୟା ପରେ ବାସଗୃହ ହରାଇଥିଲେ। ସରକାରୀ ସ୍ତରରେ ବାସଗୃହ ଯୋଗାଇବା ପାଇଁ ସମସ୍ତ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେଇ ଫାଇଲିନ ସହାୟତା ମାଗୁଛନ୍ତି। ଶ୍ରେଣୀ-୫ର ବାତ୍ୟାର ଭାବେ ମାନ୍ୟତା ପାଇଥିବା ଫାଇଲିନ୍‌ ସାରା ଓଡ଼ିଶାକୁ ଓ ବିଶେଷ ଭାବେ ଉପକୂଳ ଓଡ଼ିଶାକୁ ଅକଥନୀୟ ଯନ୍ତ୍ରଣା ଦେଇ ଯାଇଛି। ମାତ୍ର ଏବେ ମଧ୍ୟ ଲୋକେ ଫାଇଲିନ୍‌ର କଷଣକୁ ବୋହୁଛନ୍ତି। ସେହିଭଳି ୨୦୧୪ ଅକ୍ଟୋବରରେ ହୁଡ୍‌ହୁଡ୍‌ ବାତ୍ୟା ବିଶାଖାପାଟଣାରେ ସ୍ଥଳ ଭାଗ ଛୁଇଁଥିବା ବେଳେ ପୁରୀ ଜିଲାର କିଛି ସ୍ଥାନରେ କ୍ଷତିଗ୍ରସ୍ତ କରିଥିଲା।