ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିବାବେଳେ ୨୦୨୪ରେ ମହାରାଷ୍ଟ୍ରର ଠାଣେ ଜିଲାର ଡୋମ୍ବିଭାଲିର ଏକ ଆପାର୍ଟମେଣ୍ଟରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ବାଲେଶ୍ୱର ଜଙ୍ଗଲରୁ ୫ଟି ଶାବକ ଓରାଙ୍ଗଉଟାନ ମିଳିବା ପରେ ଏମାନଙ୍କୁ ଅନ୍ତଃରାଷ୍ଟ୍ରୀୟ ଲିଙ୍କ୍‌ ଥିବା କୌଣସି ବେଆଇନ ବନ୍ୟପ୍ରାଣୀ ଚାଲାଣ ନେଟୱର୍କ ମାଧ୍ୟମରେ ଭାରତକୁ ଅଣାଯାଇଥିବା ନେଇ ସନ୍ଦେହ ହୋଇଥିଲା। ତେଣୁ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେଲେ ଏସ୍‌ଟିଏଫକୁ ସନ୍ଦିଗ୍ଧ ବନ୍ୟପ୍ରାଣୀ ଚାଲାଣ ନେଟୱର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରେ। ଯେଉଁ ଆଧାରରେ ଏସ୍‌ଟିଏଫ୍‌ ତଦନ୍ତ ଆଗକୁ ବଢିଛି। ଏହି ୩ଟି ରାଜ୍ୟ ପୋଲିସ ଠାରୁ ମିଳିଥିବା ଅନ୍ତର୍ଜାତୀୟ ରାକେଟ ସମ୍ପର୍କରେ ଅଧିକ ସୁରାକ ମିଳିଛି। ଆଉ ଏଥିରେ ଦୀଘାର ଜୟନ୍ତ ମାଇତି ଏବଂ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ଏହି ରାକେଟରେ କେତେ ଲିଙ୍କ୍‌ ରହିଛି ତାହା ସ୍ପଷ୍ଟ ହେବ। ଓଡ଼ିଶା ଏସ୍‌ଟିଏଫ ଏବଂ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ୨୦୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲେ ମଧ୍ୟ ଓରାଙ୍ଗଉଟାନ ଚାଲାଣ ନେଇ କିଛି ପ୍ରମାଣ ମିଳିନାହିଁ। କାରଣ ଯେଉଁ କଳା ଥାର୍‌ ଗାଡ଼ି ସିସିଟିଭିରେ ଦେଖିବାକୁ ମିଳିଛି, ସେଥିରେ ଓରାଙ୍ଗଉଟାନ ଚାଲାଣ କରାଯାଉ ନ ଥିବା ନେଇ ଫୁଟେଜରେ ଦେଖିବାକୁ ମିଳୁନି। ଯେଉଁଥି ପାଇଁ ଅଟକ ଥିବା ଜୟନ୍ତ ମାଇତିଙ୍କ ଝିଅ,ସ୍ତ୍ରୀ, ହୋଟେଲ ମ୍ୟାନେଜର ଏବଂ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନି।
ଏ ସଂକ୍ରାନ୍ତରେ ପିସିସିଏଫ୍‌ ଡ. କେ. ମୃଗସେନ କହିଛନ୍ତି, ଏହି ଘଟଣାର ପର୍ଦ୍ଦାଫାଶ ପାଇଁ ଏସ୍‌ଟିଏଫ୍‌ ଏବଂ କେନ୍ଦ୍ରୀୟ ୱାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହିତ ବିଭାଗ ପକ୍ଷରୁ ମଧ୍ୟ ବୈଷୟିକ ଟିମ୍‌ ଗଠନ ହୋଇଛି। ଓରାଙ୍ଗଉଟାନ ଉଦ୍ଧାର ପଛରେ ଅନ୍ତର୍ଜାତୀୟ ରାକେଟକୁ ଧରିବା ପାଇଁ ବିଭିନ୍ନ ଦିଗ ରହିଛି। ତେବେ ଓରାଙ୍ଗଉଟାନ ଓଡ଼ିଶା ପାଇଁ କିଛି ନୂଆ ନୁହେଁ, ସେମାନଙ୍କୁ ୨୦୧୯ ପର୍ଯ୍ୟନ୍ତ ଏଠାରେ ରଖାଯାଇ ପାରୁଥିଲା। କୌଣସି କାରଣରୁ ଏବେ ସେମାନେ ଲୁପ୍ତ ହୋଇଥିଲେ। ତେବେ ଏହି ୫ଟି ଶାବକ ଉଦ୍ଧାର ହେବା ପରେ ନନ୍ଦନକାନନ ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଆଗାମୀ ଦିନରେ ଏହି ୫ ଓରାଙ୍ଗଉଟାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ବହୁତ୍‌ ଯତ୍ନର ସହ ପଦକ୍ଷେପ ନେଉଛନ୍ତି। ଓରାଙ୍ଗଉଟାନଙ୍କ ଅବସ୍ଥା ଭଲ ଅଛି, ସେମାନଙ୍କ ଡିଏନ୍‌ଏ ପରୀକ୍ଷା କିଛିଦିନ ମଧ୍ୟରେ କରାଯିବାକୁ ରହିଛି। ସେମାନେ କେଉଁ ବଂଶର ଜାଣିବା ପରେ ବିଭାଗ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡ. ମୃଗସେନ କହିଛନ୍ତି।

Dharitri – Odisha’s No.1 Odia Daily

Share