Categories: ଜାତୀୟ

ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ, ଭାରତ ନେତୃତ୍ୱରେ ବିଶ୍ୱସ୍ତରୀୟ ଅଭିଯାନ…

ନୂଆଦିଲ୍ଲୀ,୩୧।୧୦: ପ୍ରତ୍ୟେକ ଦେଶ ବିଦେଶାଗତ ପକ୍ଷୀମାନଙ୍କର ଆତିଥ୍ୟତା ନେଇ ଏକତ୍ରିତ ହେବେ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ ପରିଚାଳିତ ହେବାକୁ ଯାଉଛି। ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଥିବା ପକ୍ଷୀମାନଙ୍କୁ ଘରକୁ ଆସୁଥିବା ଅତିଥିମାନଙ୍କ ପରି ସମଗ୍ର ବିଶ୍ୱରେ ସ୍ବାଗତ କରାଯିବ।

ଗତ କିଛି ବର୍ଷ ମଧ୍ୟରେ, ସମଗ୍ର ବିଶ୍ୱରେ ସେମାନଙ୍କର ବାସସ୍ଥାନରେ ଅବାଧ ଶିକାର ଯୋଗୁ ବହୁ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ଏସିଆର ଫ୍ଲାଏ-ୱେ ଦେଶଠାରୁ ଆରମ୍ଭ କରି ସେମାନଙ୍କୁ ବଞ୍ଚାଇବା ପାଇଁ ଭାରତ ପକ୍ଷରୁ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି। ପରେ ଏହି ଅଭିଯାନ ଏହା ଅନ୍ୟ ଦେଶକୁ ମଧ୍ୟ ପ୍ରସାର କରାଯିବ।

ସମଗ୍ର ବିଶ୍ୱରେ ବିଦେଶାଗତ ପକ୍ଷୀମାନଙ୍କର ସଂରକ୍ଷଣକୁ ଆଗେଇ ନେଉଥିବା ଭାରତ ମଧ୍ୟ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ବିଦେଶାଗତ ପକ୍ଷୀମାନଙ୍କର ଫ୍ଲାଏ-ଓ୍ବେରେ ଆସୁଥିବା ଦେଶମାନଙ୍କରେ ସେମାନଙ୍କର ବାସସ୍ଥାନର ସୁରକ୍ଷା ପାଇଁ ଅଭିଯାନ କରାଯିବ।

ପ୍ରତି ଦେଶ ସେମାନଙ୍କ ରହଣୀସ୍ଥଳକୁ ସୁରକ୍ଷିତ ରଖିବେ। ଏହା ସହିତ ପରିବେଶକୁ ଅନୁକୂଳ ରଖାଯିବ। ବିଦେଶାଗତ ପକ୍ଷୀଙ୍କ ଖାଦ୍ୟ ଏବଂ ପାନୀୟର ସୁବିଧା ଉପରେ ତୀକ୍ଷ୍‌ର ନଜର ରଖାଯିବ। ଏହି ଅଭିଯାନ ଅନ୍ତର୍ଗତ ବିପଦପୂର୍ଣ୍ଣ ପ୍ରଜାତିର ପକ୍ଷୀମାନଙ୍କର ବିଶେଷ ତଦାରଖ କରାଯିବ। ସମ୍ପୃକ୍ତ ଦେଶମାନେ ମଧ୍ୟ ଏହି ପକ୍ଷୀମାନଙ୍କର ଗତିବିଧି ବିଷୟରେ ସୂଚନା ପରସ୍ପର ସହିତ ଆଦାନ ପ୍ରଦାନ କରିବେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ, ବିଦେଶାଗତ ପକ୍ଷୀମାନଙ୍କର ସଂରକ୍ଷଣ ପାଇଁ ଭାରତ ଏହି ଅଭିଯାନକୁ ସମଗ୍ର ବିଶ୍ୱରେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି। ପ୍ରତିବର୍ଷ ସାଇବେରିଆ ସମେତ ବହୁ ଦୁର୍ଗମ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଭାରତରେ ପହଞ୍ଚିଥାନ୍ତି। ଭାରତରେ କିଛି ସମୟ ବିତାଇବା ପରେ ପୁନର୍ବାର ଫେରି ଥାନ୍ତି। ସେମାନଙ୍କର ଉପସ୍ଥିତି ଭାରତର ବହୁ ସ୍ଥାନରେ ଦେଖିବାକୁ ମିଳିଥାଏ।

କେନ୍ଦ୍ରୀୟ ଏସୀୟ ଫ୍ଲାଏ-ୱେରେ ରୁଷିଆ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁଏଇ, ବ୍ରିଟେନ, ଉଜବେକିସ୍ତାନ, ୟେମେନ, ଇରାକ, କାଜାଖସ୍ତାନ, କୁଏତ, କିର୍ଗିଜସ୍ଥାନ, ମାଳଦ୍ୱୀପ, ମୋଙ୍ଗୋଲିଆ, ମ୍ୟାନ୍‌ମାର, ନେପାଳ, ଓମାନ, ପାକିସ୍ତାନ, ଆଫଗାନିସ୍ତାନ, ଆର୍ମେନିଆ, ଆଜେରବାଇଜାନ, ବାହାରିନ , ବାଂଲାଦେଶ, ଭୁଟାନ, ଚୀନ, ଜର୍ଜିଆ, ଭାରତ ଏବଂ ଇରାନ ଆଦି ୩୦ଟି ଦେଶ ସାମିଲ ଅଛନ୍ତି।

Share