ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ: ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ( ୟୁଜିସି) ପକ୍ଷରୁ ଦାଏର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ଏହି ସଂଶୋଧିତ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ ଓଡ଼ିଶା ସରକାରଙ୍କୁ ୩ ମାସ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେଇଥିଲେ ।

ଜେଏନୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ କୁମାର ମହାନ୍ତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜବିହାରୀ ପଣ୍ଡା ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ୨୦୨୦ ନଭେମ୍ବର ୯ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେବା ପରେ ପ୍ରଫେସର ମହାନ୍ତି ଓ ୟୁଜିସି ଉଭୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।