ଭୁବନେଶ୍ୱର, ୧୮।୧୧(ସୁନିତ୍ ମିଶ୍ର): ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ଅକ୍ୱାନର ଲ୍ୟାଣ୍ଡଫଲ ଆଶଙ୍କା ସୃଷ୍ଟି ହେବା ତାଙ୍କୁ ଚିନ୍ତାରେ ପକାଇଛି। ଏହି ବାତ୍ୟାରେ ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲା ବିଶେଷ କ୍ଷତି ସହିଥିଲା। ଏହି ଜିଲାଗୁଡ଼ିକର ଲୋକଙ୍କ କଷ୍ଟ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ସମସ୍ତେ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ବିପଦ ସମୟରେ ବିଜେଡିର ସବୁ ନେତା ଓ କର୍ମୀ ଲୋକଙ୍କ ସହ ରହି ସେମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କ ସହଯୋଗ, ସତର୍କତା ଓ ମହାପ୍ରଭୁଙ୍କ କରୁଣାରୁ ଓଡ଼ିଶା ଏ ବିପଦକୁ ସଫଳ ଭାବେ ମୁକାବିଲା କରିପାରିବ ବୋଲି ନବୀନ କହିଛନ୍ତି।