ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ ସୋମବାର ରାତିରେ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ସଂସ୍କାର ଭାରତୀ, ସଂସ୍କୃତି ବିଭାଗ ଓ ବାର୍ଡ ଅନୁଷ୍ଠାନର ମିଳିତ ସହଯୋଗରେ ଏହା ଚାଲୁଥିଲା। ପ୍ରଥମ ଦିବସରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ଉଷା ପାଢୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ବିଶ୍ୱକବି ବୋଲି କହିଥିଲେ। ସର୍ବତ୍ର ତାଙ୍କ ସଙ୍ଗୀତ ପ୍ରଚାର ହେବା ଆବଶ୍ୟକ । ଘୁମୁସର କ୍ଷେତ୍ରରେ ତାଙ୍କୁ ନ ରଖି ସାରା ରାଜ୍ୟ, ଦେଶ ଓ ବିଦେଶରେ ଭଞ୍ଜ ଜୟନ୍ତୀ, ଭଞ୍ଜ ସାହିତ୍ୟ, ଭଞ୍ଜ ସଙ୍ଗୀତ ପରିବେଷଣ କରିବା ଉପରେ ମତ ଦେଇଥିଲେ । ଭଞ୍ଜ ଏକାଧାରାରେ କବି,ଦାର୍ଶନିକ, ସଙ୍ଗୀତ କାଳଜୟୀ ଥିଲେ ବୋଲି ଡ ଉଷା ପାଢ଼ୀ ମତ ରଖିଥିଲେ । ମୁଖ୍ୟବକ୍ତା ରୂପେ ବରିଷ୍ଠ କବି ପ୍ରଫୁଲ ମାଝୀ ଯୋଗଦେଇ ଭଞ୍ଜଙ୍କ ସାହିତ୍ୟରେ ନାରୀ ବିଷୟରେ ଆଲୋକପାତ କରିବା ସହ ବହୁତ ଆଗରୁ ମହିଳାଙ୍କୁ ବିଭିନ୍ନ ଅଳଙ୍କାର ଦେଇ ନାରୀ ଶକ୍ତିର ମହତ୍ୱ ଉପରେ କହିଥିଲେ । ସମ୍ମାନୀୟ ଅତିଥି ରୂପେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
ସନ୍ତୋଷ ନାୟକ ଯୋଗ ଦେଇଥିଲେ । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ନାଟ୍ୟକାର ମନ୍ମଥ ଶତପଥୀ ଯୋଗଦେଇ ଯୁଗଜନ୍ମା କବି କୃତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟିକ ପ୍ରଫୁଲ ଦାସ ଯୋଗଦେଇ ଭଞ୍ଜ ସାହିତ୍ୟ ଓ ସଙ୍ଗୀତ ଯଦି ନଥାନ୍ତା ଓଡିଆ ଅସ୍ମିତା ଓ ଓଡିଆ ଶାସ୍ତ୍ରୀୟ ମାନ୍ୟତା ମିଳିବା କଷ୍ଟ ସାଧ୍ୟ ହୋଇଥାନ୍ତା ବୋଲି କହିଥିଲେ । ଘୁମସର ଅଞ୍ଚଳର ଘୁମୁସର ଗୋପାଳିକା ନମିତା ,ନୀର,ଝୁନା, ବିଳାସିନି, ଜ୍ୟୋତିଙ୍କୁ ଓ ଅନ୍ତିମ ଯାତ୍ରାର ସଂର୍କୀତନ ନେତୃବୃନ୍ଦ ସୁଦର୍ଶନ, ରଞ୍ଜିତ, ସୁଭାଷ,ଗିରିଧାରୀ,ବିଜୟଙ୍କୁ ଓ ଭଞ୍ଜ ବନ୍ଧୋଦୟ ଉଦ୍ୟୋଗୀ ଭଞ୍ଜ ସାହୁ, ବେଲଗୁଣ୍ଠା ବଣିକ ସଂଘଙ୍କୁ ସମର୍ଧିତ କରଯାଇଥିଲା । ଗୁରୁ ରବି ଦାସ, ଲୋକନାଥ ମହାନ୍ତି ଓ ଘୁମୁସର ଲେଖିକା ସଂଘର କଳାକାରଙ୍କ ଭଞ୍ଜ ସଙ୍ଗୀତ ଓ ମହିଳା ପାଲା, ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ । ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

