Categories: ରାଜ୍ୟ

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ଭାଜପା

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପରିବାରବାଦ, ତୁଷ୍ଟୀକରଣ ଓ ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ରରେ ମୋଦି ସରକାର ଗତ ୮ ବର୍ଷ ଭିତରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ଅନେକ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଓଡ଼ିଶାବାସୀଙ୍କୁ ସ୍ବଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେବା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓଡ଼ିଶାକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିଛନ୍ତି। ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ ବୋଲି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ କହିଛନ୍ତି। ରାଜ୍ୟ କାଯର୍‌ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନିର୍ବାଚନ ଆସିଲେ ରାଜ୍ୟ ସରକାର ମିଛ ପ୍ରତିଶ୍ରୁତିର ଭଣ୍ଡାର ଖୋଲି ଦିଅନ୍ତି। ୫-ଟିର ବ୍ୟାପକ ପ୍ରଚାର କରାଯାଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରାଯାଇଛି। ମାତ୍ର ଏହାର ଠିକ୍‌ ବିପରୀତ କାଯର୍‌ୟକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ଦୁର୍ନୀତି ଓଡ଼ିଶା ବିକାଶର ମୁଖ୍ୟ ବାଧକ ସାଜିଛି ବୋଲି ବଳିୟାରସିଂହ କହିଛନ୍ତି। ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ରୁ ୧୮ ପ୍ରତିଶତରେ ପହଞ୍ଚିଲାଣି। ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଆଧାରରେ ରାଜ୍ୟର ବିକାଶମୂଳକ କାଯର୍‌ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍‌ କରାଯାଉଛି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।